ସଂଚାର ବ୍ୟୁରୋ: ପ୍ରବଳ ବର୍ଷାରେ ଉବୁଟୁବୁ ଦିଲ୍ଲୀ ଓ ନୋଏଡ଼ା। ଅନେକ ଅଞ୍ଚଳ ଜଳବନ୍ଦୀ। ଜମି ରହିଛି ପ୍ରବଳ ପାଣି। ଗତ ରାତିରୁ ମୂଷଳ ଧାରାରେ ବର୍ଷା ଚାଲିଛି ଯେ ଚାଲିଛି। ବର୍ଷା ଜୋରରେ ଲାଗି ରହିଥିବାରୁ ଟ୍ରାଫିକ୍ ଜାମ ହୋଇଛି। ରାସ୍ତାରେ ଅଟକି ରହିଛନ୍ତି ଶହ ଶହ ଗାଡ଼ି। ଲୋକେ ଫସି ରହିଛନ୍ତି। ମିଣ୍ଟୋ ରୋଡ୍ ପଟେଲ ଛତକ, ଆଶ୍ରମ ବ୍ରିଜ୍, ନୂଆ ଦିଲ୍ଲୀ ରେଳୱେ ଷ୍ଟେସନ ଅଞ୍ଚଳରେ ପାଣି ଜମି ରହିଛି। କେଉଁଠି ଆଣ୍ଠୁଏ ପାଣି ଅଛି ତ, କେଉଁଠି ଅଣ୍ଟାଏ ପାଣି ଅଛି। ଟ୍ରାଫିକ୍ ଜାମ୍ ହୋଇଥିବାରୁ ଟ୍ରାଫିକ୍ ରୁଟ୍ ରେ ପରିବର୍ତ୍ତନ କରାଯାଇଛି। ଆଜି ସଂଧ୍ଯା ପର୍ଯ୍ଯନ୍ତ ପୁରା ଦିଲ୍ଲୀ ଓ ଏନସିଆର୍ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ପୁର୍ବାନୁମାନ କରିଛି ଆଇଏମଡି। ଉତ୍ତର ଭାରତରେ ଏବେ ବି ଜୋରରେ ବର୍ଷା ହେଉଛି। ବିଶେଷ କରି ଉତ୍ତରାଖଣ୍ଡ, ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତର ପ୍ରଦେଶର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ହେବ ବୋଲି ଆକଳନ କରାଯାଇଛି।