ସଂଚାର ବ୍ୟୁରୋ: ଆଜିଠାରୁ ଆରମ୍ଭ ଦିଲ୍ଲୀ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ । ମୁଖ୍ଯମନ୍ତ୍ରୀ ପଦରୁ ଅରବିନ୍ଦ କେଜରିଓ୍ବାଲଙ୍କ ଇସ୍ତଫା ସହ ନୂଆ ମୁଖ୍ଯମନ୍ତ୍ରୀ ଭାବେ ଆତିଶୀ ଦାୟିତ୍ବ ଗ୍ରହଣ କରିବା ପରେ ଏହି ଅଧିବେଶନ ବସୁଛି । ସେପଟେ ନୂଆ ମୁଖ୍ଯମନ୍ତ୍ରୀ ଆତିଶୀଙ୍କ ଲାଗି ସମସ୍ଯା ହୋଇପାରେ ଅଧିବେଶନ । ମୁଖ୍ଯମନ୍ତ୍ରୀ ହେବା ପରେ ପ୍ରଥମ ଅଧିବେଶନରେ ଆତିଶୀଙ୍କୁ ଘେରିପାରନ୍ତି ବିରୋଧୀ । ଦିଲ୍ଲୀର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ଲାଗି ଅଧିବେଶନ କାଳ ଦୁଇ ଦିନ ବଦଳରେ ଅଧିକ ଦିନ କରିବା ଲାଗି ଦାବି କରିପାରେ ବିଜେପି । ବିଧାନସଭାରେ ବିରୋଧୀ ଦଳ ନେତା ବିଜେନ୍ଦର ଗୁପ୍ତା କହିଛନ୍ତି- ଦୁଇ ଦିନିଆ ଅଧିବେଶନର କାର୍ଯ୍ୟକ୍ରମ ସମ୍ପର୍କରେ ବିଧାୟକମାନଙ୍କୁ କୌଣସି ସୂଚନା ଦିଆଯାଇନାହିଁ । ଦିଲ୍ଲୀରେ ବସ୍ତି, ଜଳବନ୍ଦୀ ଓ ଜଳାଭାବ ସମସ୍ୟା ସମ୍ପର୍କରେବିରୋଧୀ ଦଳ ଗୃହରେ ପ୍ରସଙ୍ଗ ଉଠାଇବେ ବୋଲି ସୂଚନା ମିଳିଛି । ସେହିପରି ଶିକ୍ଷା, ସ୍ବାସ୍ଥ୍ୟ, ପେନସନ ଆଦି ପ୍ରସଙ୍ଗରେ ବି ହୋଇପାରେ ଆଲୋଚନା । ଦିଲ୍ଲୀରେ ଦୁର୍ନୀତି ଚାଲିଥିବା ଅଭିଯୋଗ କରି ଆତିଶୀ ସରକାର ବିରୋଧରେ ଗୃହରେ ହୋଇପାରେ ବିଶୃଙ୍ଖଳା । କିଛି ଦିନ ତଳେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁ 50ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ଆଣି ସରକାରଙ୍କୁ ଅସୁବିଧାରେ ପକାଇପାରନ୍ତି ବିରୋଧୀ । ଗତ ଏପ୍ରିଲ 8ରେ ଶେଷ ଥର ଲାଗି ଦିଲ୍ଲୀ ବିଧାନସଭା ଅଧିବେଶନ ବସିଥିଲା । ସମ୍ବିଧାନ ଅନୁସାରେ 6 ମାସ ମଧ୍ଯରେ ଅଧିବେଶନ ବସିବ ।