ସଂଚାର ବ୍ୟୁରୋ: ଦେବଗଡ଼ ପୌର ପରିଷଦ ବିଜେପି କାଉନସିଲର ପିଙ୍କି ସାହୁ ଓ ତାଙ୍କ ଦୁଇ କନ୍ୟା ସନ୍ତାନଙ୍କୁ ଅନ୍ୟ ଦୁଇ ବିଜେପି କାଉନସିଲର ଅପହରଣ କରିଥିବା ଅଭିଯୋଗ ଘଟଣାରେ ନୂଆ ଟ୍ବିଷ୍ଟ । ଅପହରଣ ନୁହେଁ ନିଜେ ଆସିଥିବା ଓ ସୁରକ୍ଷିତ ଥିବା ଭିଡିଓ ଜାରି କରି କହିଛନ୍ତି ପିଙ୍କି l କେବଳ ପିଙ୍କି ନୁହଁନ୍ତି ଅପହରଣ ଅଭିଯୋଗ ଆସିଥିବା ବିଜେପି କାଉନସିଲର କାର୍ତ୍ତିକ ମହାକୁଳ, ଇତିଶ୍ରୀ ମିଶ୍ର ଓ ତାଙ୍କ ସ୍ବାମୀ ରାଜେନ୍ଦ୍ର ମିଶ୍ର ମଧ୍ଯ ଭିଡିଓ ବାର୍ତ୍ତା ପୋଲିସ ନିକଟକୁ ପଠାଇଛନ୍ତି । ପିଙ୍କି ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି, ସେ ଓ ତାଙ୍କ ଦୁଇ ସନ୍ତାନ ସୁରକ୍ଷିତ ଅଛନ୍ତି । ପୌର ଉପାଧ୍ୟକ୍ଷ ପ୍ରଜିତ ଭୋଜଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରି ସେ ସୁରକ୍ଷା ଦୃଷ୍ଟିରୁ ଅନ୍ୟତ୍ର ନିଜେ ଆସିଥିବା କହିଛନ୍ତି । ଜିଲ୍ଲାପାଳ ଅନାସ୍ଥା ଭୋଟ ପାଇଁ ଯେଉଁଦିନ ତାରିଖ ଧାର୍ଯ୍ୟ କରିବେ ସେହିଦିନ ସେ ସିଧାସଳଖ ଅନାସ୍ଥା ଭୋଟିଂରେ ଅଂଶ ଗ୍ରହଣ କରି ଘରକୁ ଫେରିବେ ବୋଲି କହିଛନ୍ତି । ସେହିପରି ଇତିଶ୍ରୀ ମଧ୍ୟ ନିଜ ପ୍ରତିକ୍ରିୟା ଭିଡିଓ ବାର୍ତ୍ତାରେ ପୁଲିସ ନିକଟକୁ ପଠାଇଥିବା ଜଣା ପଡିଛି l ଫଳରେ ଅପହରଣ ଅଭିଯୋଗ ପଛର ସତ୍ୟତା ଜାଣିବାକୁ ପୁଲିସ ପୁଣିଥରେ ତଦନ୍ତ କରିବାକୁ ବାହାରିଛି l ୧୧ ୱାର୍ଡ ବିଶିଷ୍ଟ ଦେବଗଡ଼ ପୌର ପରିଷଦରେ ୬ ଜଣ ବିଜେପି କାଉନସିଲର ଓ ୪ ବିଜେଡି କାଉନସିଲର ଏବଂ ଜଣେ ସ୍ୱାଧୀନ କାଉନସିଲର ଥିବା ସତ୍ୱେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ବାଚନ ମଣ୍ଡଳୀରେ ବିଜେପି ବିଶୃଙ୍ଖଳିତ ହୋଇପଡିଛି ବୋଲି ଅଭିଯୋଗ ହେଉଛି l ଦେବଗଡ଼ ପୌର ପରିଷଦ ଉପାଧ୍ୟକ୍ଷ ବିଜେପିର ପ୍ରଜିତ ଭୋଜଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ପାଇଁ ୪ ବିଜେପି କାଉନସିଲର ୪ ବିଜେଡି କାଉନସିଲର ଜିଲ୍ଲାପାଳଙ୍କ ଠାରେ ଗତ ୫ ତାରିଖ ଦିନ ଦରଖାସ୍ତ କରିଥିଲେ । ଏହାପରେ ନିଜ ସୁରକ୍ଷା ଦୃଷ୍ଟିରୁ ଅଜ୍ଞାତବାସକୁ ଚାଲିଯାଇଥିଲେ । ଖୋଦ ବିଜେପି କାଉନସିଲର ବିଜେପିର ପୌର ଉପାଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପାଇଁ ସଜବାଜ ହେଉଥିବା ବେଳେ ସେମାନଙ୍କ ମଧ୍ୟରେ ନିଜ ସୁରକ୍ଷାକୁ ନେଇ ଆଶଙ୍କା ରହିଛି ବୋଲି ସେମାନଙ୍କ ବୟାନରୁ ସ୍ପଷ୍ଟ ହୋଇଛି l ଗତ ଶନିବାର ୭ ନମ୍ବର ୱାର୍ଡ କାଉନସିଲର ପିଙ୍କି ସାହୁ ଓ ତାଙ୍କ ଦୁଇ ଝିଅଙ୍କୁ ୧୦ ନମ୍ବର ୱାର୍ଡ ବିଜେପି କାଉନସିଲର କାର୍ତ୍ତିକ ମହାକୁଳ ଓ ୧୧ ନମ୍ବର ୱାର୍ଡ ବିଜେପି କାଉନସିଲର ଇତିଶ୍ରୀ ମିଶ୍ର ଓ ତାଙ୍କ ସ୍ୱାମୀ ରାଜେନ୍ଦ୍ର ମିଶ୍ର ଅପହରଣ କରିନେଇଥିବା ନେଇ ପିଙ୍କିଙ୍କ ସ୍ଵାମୀ ପ୍ରଦୀପ ସାହୁ ଦେବଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଅଭିଯୋଗ ପରେ ଦେବଗଡ଼ ଥାନା ପୁଲିସ ପ୍ରାଥମିକ ଯାଞ୍ଚ ଆରମ୍ଭ କରିଥିଲା । ହେଲେ ଏହା ଭିତରେ ସେ ପିଙ୍କି ନିଜେ ନିଜ ଇଛାରେ ଯାଇଥିବା ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ।