ସଂଚାର ବ୍ୟୁରୋ: କଟକ ବଡ଼ ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଅସଦାଚରଣ ମାମଲା । ଗିରଫ ହୋଇଛନ୍ତି ସିନିୟର ରେସିଡେଣ୍ଟ ଡାକ୍ତର ଦିଲବାଗ ସିଂ । ଗିରଫ ପରେ ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି । ଏପଟେ ମଧ୍ଯପ୍ରଦେଶରୁ ଓଡ଼ିଶା ଆସିଛନ୍ତି ଗିରଫ ଡାକ୍ତରଙ୍କ ପରିବାର । ଡାକ୍ତରଙ୍କ ପରିବାରର ଅଭିଯୋଗ ମାମଲାରେ ଟୁଇଷ୍ଟ ଆଣିଛି । ଅଭିଯୁକ୍ତ ଡାକ୍ତରଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ଡାକ୍ତରଙ୍କୁ ଫସାଇଦିଆଯାଇଛି । ତିନି ବର୍ଷ ହେବ ଡାକ୍ତର ଦିଲବାଗ ସିଂ ଏସସିବିରେ ପଢୁଛନ୍ତି । ମିଛ ମାମଲାରେ ଫସାଇ ତାଙ୍କ କ୍ୟାରିୟରକୁ ନଷ୍ଟ କରାଯାଉଥିବା ଅଭିଯୋଗ ହୋଇଛି । ଅଭିପୋଗକାରିଣୀଙ୍କ ସଂପର୍କୀୟଙ୍କ ଅନୁରୋଧରେ ଛୁଟି ଦିନରେ ଇକୋ କରିବାକୁ ଦିଲବାଗ ଆସିଥିଲେ । ସେ ଯଦି ଅସଦାଚରଣ କରିଥିଲେ ତେବେ ଅଭିଯୋଗ ନକରି କାହିଁକି ମାରପିଟ କରାଗଲା ବୋଲି ପ୍ରଶ୍ନ କରିଛନ୍ତି । ସିସିଟିଭି ଫୁଟେଜକୁ ତଦନ୍ତ ପରିସରକୁ ନେଇ ନିରପେକ୍ଷ ଭାବେ ତଦନ୍ତ କରିବାକୁ ସେ ଦାବି କରିଛନ୍ତି । ଗତ ୧୧ ତାରିଖ ରାତିରେ ଦୁଇ ମହିଳା ରୋଗୀ ହୃଦରୋଗ ବିଭାଗକୁ ଚିକିତ୍ସା ପାଇଁ ଆସିଥିଲେ । ଇସିଜି କରିବା ବାହାନାରେ ଡାକ୍ତର ଜଣଙ୍କ ସେମାନଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ୧୬୧ ଧାରାରେ ପୀଡ଼ିତାଙ୍କର ବୟାନ ରେକର୍ଡ ହୋଇଥିବାବେଳେ ଆବଶ୍ଯକ ପଡ଼ିଲେ ଧାରା ୧୬୪ରେ ବୟାନ ରେକର୍ଡ କରାଯିବ । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେବା ସହ ତିନିଜଣିଆ କମିଟି ଗଠନ କରିଛି ସ୍ବାସ୍ଥ୍ଯ ବିଭାଗ ।