ସଂଚାର ବ୍ୟୁରୋ: ୫୪ ବର୍ଷ ତଳର କାହାଣୀ ଦେଖିଲେ ଦର୍ଶକ । ୧୯୭୨ରେ ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ନାଟକ ଆଜି ପୁଣି ଭଞ୍ଜକଳା ମଣ୍ଡପରେ ଦେଖିଲେ ଦର୍ଶକ । ବିଶିଷ୍ଟ ନାଟ୍ୟକାର ମନ୍ମଥ ଶତପଥୀଙ୍କ ନାଟକ ଆଜିର ମଣିଷ ଦେଖି ବିଭୋର ହେଲେ ଦର୍ଶକ । ପ୍ରତ୍ୟେକ ମଣିଷ କ୍ଷମତା ପାଇଁ ପାଗଳ । ସ୍ୱାର୍ଥପାଇଁ ମଣିଷ ସମାଜରେ ସୃଷ୍ଟି କରିଛି ବର୍ଣ୍ଣ ବୈଷମ୍ୟତା । ରାଜା ପ୍ରଜା କ୍ରମରେ ଶାସକ ବର୍ଗ ଶୋଷିତ ମଣିଷମାନଙ୍କୁ ଶୋଷଣ କରିଛନ୍ତି । ଦୀର୍ଘଦୀନ ଶୋଷଣପରେ ମଣିଷର ଆଖି ଖୋଲିଛି । ସମସ୍ତେ ଦେଖୁଛନ୍ତି ସ୍ଵାଧୀନତାର ସ୍ଵପ୍ନ । ରାଜତନ୍ତ୍ରର ବିଲୀନହୋଇ ଦେଶ ସ୍ଵାଧୀନ ହୋଇଛି । କିନ୍ତୁ ପୁଣି ସେଇ ଅତୀତର ପୁନରାବୃତ୍ତି ହୋଇଛି । ରାଜନୈତିକ ବ୍ୟକ୍ତିଙ୍କ ବିଶାଳ ଅଟ୍ଟାଳିକାର ଛାୟା ତଳେ ପଥଶ୍ରାନ୍ତ ପଥୁକ ତାର ଜୀବନ କଟେଇଛି । ଭୁବନେଶ୍ୱର ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ସହଯୋଗରେ ନାଟ୍ୟଧାରା ଅନୁଷ୍ଠାନ ପକ୍ଷରୁ ନାଟକ ଆଜିର ମଣିଷ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ମଞ୍ଚସ୍ଥ ହୋଇଛି । ନାଟକର ବିଭିନ୍ନ ଭୂମିକାରେ କୁମାର ସୁରଜିତ୍, ବୁଲୁ ପଣ୍ଡା, ଦେବୁବ୍ରହ୍ମା, ଅଶୋକ ପଟ୍ଟନାୟକ, ଉପେନ୍ଦ୍ର ପତି, ଜ୍ଞାନ ରଞ୍ଜନ ସାଥୁଆ, ଦେବୀ ବାରିକ, ବିଭୂତି ସାମଲ, ନବୀନ ଦାସ, ଜଗା ପଣ୍ଡା, ରସାନନ୍ଦ ଦାସ, ବିପ୍ଳବ ଦାସ, ନିଳାଦ୍ରି ମିଶ୍ର ଓ ମୃତ୍ୟୁଞ୍ଜୟ ଅଭିନୟ କରିଥିଲେ । ଏହାର ନିର୍ଦ୍ଦେଶନା ଦେଇଥିଲେ ଜ୍ଞାନ ରଞ୍ଜନ ସାଥୁଆ ଓ ଏହାର ସଙ୍ଗୀତ ସଂଯୋଜନା କରିଥିଲେ ବିନୟ ଦାସ ।..