ସଂଚାର ବ୍ୟୁରୋ: ହିମାଚଳପ୍ରଦେଶ କୁଲ୍ଲୁରେ ଭୁଶୁଡିଲା ବ୍ରିଜ। କୁଲ୍ଲୁ ଓ ମାଣ୍ଡି ମଧ୍ୟରେ ସଂଯୋଗ କରୁଥିବା ମାଙ୍ଗାଲୋର ସେତୁ ଭାଙ୍ଗିଲା। ବ୍ରିଜ ଧସିବା ପରେ ନଦୀକୁ ଖସି ପଡିଥିଲା ସିମେଣ୍ଟ ବୋଝେଇ ଟ୍ରକ। ଟ୍ରକର ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଜଣାପଡିଛି। ପୋଲ ଧସିଯିବାରୁ ରାଜପଥରେ ପ୍ରବଳ ଟ୍ରାଫିକ ଜାମ ଦେଖାଦେଇଥିଲା। ରାସ୍ତାର ଦୁଇ ପଟରେ ଅଟକି ରହିଥିଲା ଶହ ଶହ ସଂଖ୍ଯାରେ ଗାଡ଼ି। ସୌଭାଗ୍ୟବଶତଃ ଟ୍ରକ୍ ଡ୍ରାଇଭର ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିଲେ। ଘଟଣା ପରେ, ଓଟ୍-ବଞ୍ଜାର ରାସ୍ତାରେ ଯାନବାହାନ ଚଳାଚଳକୁ ସାମୟିକ ଭାବରେ ବନ୍ଦ କରିଦିଆଯାଇଥିଲା। ପର୍ଯ୍ୟଟନ ଋତୁ ଚାଲିଥିବାରୁ ଶହ ଶହ ସଂଖ୍ୟାରେ ପର୍ଯ୍ୟଟକ ରାସ୍ତା ମଝିରେ ଅଟକି ରହିଥିଲେ। ଏହି ସେତୁ ୧୯୮୦ ମସିହାରେ ନିର୍ମିତ ହୋଇଥିଲା। ମାଙ୍ଗାଲୋର ସେତୁର ଗଠନ ପୂର୍ବରୁ ଦୁର୍ବଳ ଥିଲା। ଭାରୀ ଯାନବାହାନର ନିରନ୍ତର ଚଳାଚଳ ଯୋଗୁଁ ଏହା ଆହୁରି ଜରାଜୀର୍ଣ୍ଣ ହୋଇଯାଇଥିଲା। ଏକ ସିମେଣ୍ଟ ବୋଝେଇ ଟ୍ରକ୍ ସେତୁ ଦେଇ ଯାଉଥିବାବେଳେ ବ୍ରିଜଟି ଧସି ଯାଇଥିଲା। ସ୍ଥାନୀୟ ଲୋକ ଏବଂ ପୋଲିସ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଡ୍ରାଇଭରଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। ଡ୍ରାଇଭରଙ୍କୁ ସାମାନ୍ୟ ଆଘାତ ଲାଗିଛି କିନ୍ତୁ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।