ସଂଚାର ବ୍ୟୁରୋ: କୂଳ ଲଙ୍ଘୁଛି ବ୍ରାହଣୀ । ଆତଙ୍କିତ ଅବସ୍ଥାରେ ନଦୀକୂଳିଆ ଗାଁ । ଅସନ୍ତୁଳିତ ପରିବେଶ ଓ ପ୍ରାକୃତିକ ବିପର୍ଯ୍ୟୟ ବଦଳାଇ ଦେଇଛି ବ୍ରାହ୍ମଣୀ ନଦୀର ଗତିପଥ l ଯେଉଁଠି ନଦୀର କୂଳ ଏକ ମାଇଲ ଦୂରେ ଥିଲା, ଆଜି ଗାଁରେ ପଶିବ ପଶିବ ହେଉଛି ବ୍ରାହ୍ମଣୀ ନଦୀ । ଏପରିକି ଲୋକଙ୍କ ବାଡ଼ିରେ ପହଞ୍ଚି ଗଲାଣି । ଏହାକୁ ନେଇ ଚିନ୍ତାରେ ୪ ଟି ଗାଁର ପନ୍ଦର ହଜାରରୁ ଉର୍ଦ୍ଧ୍ଵ ଲୋକ।
ବଦଳୁଛି ବ୍ରାହ୍ମଣୀ ନଦୀର ଗତିପଥ । କୂଳ ଲଙ୍ଘୁଛି ନଦୀ, ବର୍ଷକୁ ଖାଉଛି ୫୦ ମିଟର । ଆତଙ୍କିତ ଅବସ୍ଥାରେ ଢେଙ୍କାନାଳ ପରଜଙ୍ଗ ବ୍ଲକ ରୋଡ ପଞ୍ଚାୟତର ୪ ଗାଁ ଲୋକେ । ଅସନ୍ତୁଳିତ ପରିବେଶ ଓ ପ୍ରାକୃତିକ ବିପର୍ଯ୍ଯୟ କାରଣରୁ ବ୍ରାହ୍ମଣୀ ନଦୀର ଗତିପଥ ବଦଳିବାରେ ଲାଗିଛି । ନଦୀଟି ଏବେ କୂଳ ଲଙ୍ଘି ଗାଁ ମୁହାଁ ହେବାରେ ଲାଗିଛି । ଦଶବର୍ଷ ତଳେ ଯେଉଁଠି ଆମ୍ବତୋଟା ଥିଲା ଓ ଯେଉଁ ସ୍ଥାନରେ ଯାତ୍ରା, ମେଳା, ମହୋତ୍ସବ ହେଉଥିଲା ତାହା ଏବେ ନଦୀ ଗର୍ଭରେ । ଆଉ ଏବେ ନଦୀର ଲୋଲୁପ ଦୃଷ୍ଟି ପଡିଛି ରୋଡ଼, ନୂଆରୋଡ଼, କୁନ୍ଦନଦେଇପୁର ଓ ଗଇଲୋ ଗାଁ ଉପରେ l ପ୍ରତିବର୍ଷ ନିଜର ଗତିପଥ ପରିବର୍ତ୍ତନ କରି ବ୍ରାହ୍ମଣୀ କୂଳ ଖାଉଥିବା ବେଳେ ଏବେ ନଦୀ ପହଞ୍ଚିଛି ଲୋକଙ୍କ ବାଡ଼ିରେ । ଗାଁ ଦାଣ୍ଡରୁ ନଦୀର ଦୂରତା ରହୁଛି ମାତ୍ର ୫୦ ରୁ ୧୦୦ ମିଟର l ଲୋକେ ଆଶଙ୍କା କରୁଛନ୍ତି-ଦିନ ଆସିବ ନଦୀ ଗର୍ଭରେ ଲୀନ ହୋଇଯିବ ଗାଁ।
ବନ୍ଯା ଆସିଲେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଚାରୋଟି ଗାଁ ଲୋକ । ବର୍ତ୍ତମାନ ନଦୀରେ ଜଳସ୍ତର ସାମାନ୍ୟ ରହୁଥିବା ବେଳେ ଘରଗୁଡିକ ଠାରୁ ମାତ୍ର ୧୦୦ ମିଟର ଦୂରରେ ରହୁଛି ପାଣି l ରୋଡ ପଞ୍ଚାୟତର ସରପଞ୍ଚ ବିଭାଗୀୟ କତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନକୁ ମଧ୍ଯ ଏ ସଂପର୍କରେ ଅବଗତ କରିଛନ୍ତି। କିନ୍ତୁ ଏ ପର୍ଯ୍ଯନ୍ତ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ କୂଳ ଲଙ୍ଘୁଥିବା ସ୍ଥାନରେ ପଥର ପ୍ୟାକିଙ୍ଗ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । …
ଯଦି ଏବେଠାରୁ ନଦୀ କୂଳରେ ଥିବା ଏହି ଗାଁ ଗୁଡିକ ପାଇଁ ସରକାରୀ ସ୍ତରରେ କୌଣସି ପଦକ୍ଷେପ ତୁରନ୍ତ ଗ୍ରହଣ କରାନଯାଏ ତେବେ ଆଗାମୀ ସମୟରେ ବ୍ରାହ୍ମଣୀ ଗର୍ଭରେ ଲୀନ ହୋଇଯିବ ରୋଡ଼ ପଞ୍ଚାୟତ l