ସଂଚାର ବ୍ୟୁରୋ: ନିଜସ୍ଵ ଗାଡି ମରାମତି ଗ୍ୟାରେଜ ଏବଂ ପେଟ୍ରୋଲ ପମ୍ପ ନିର୍ମାଣ କରିବ ବିଏମସି। ବାହାର ପେଟ୍ରୋଲ ପମ୍ପ ଏବଂ ଗ୍ୟାରେଜରେ ହେଉଥିବା ଅତ୍ୟଧିକ ଖର୍ଚ୍ଚକୁ ବିଚାର କରି ଏହି ନିଷ୍ପତ୍ତି ନେଇଛି ବିଏମସି । ମାର୍ଚ୍ଚ ମାସରେ କେବଳ ତେଲ ଖର୍ଚ୍ଚ ପାଇଁ ୨ କୋଟି ୬୯ ଲକ୍ଷ ଟଙ୍କା ଦିଆଯାଇଥିବା ବେଳେ, ଗାଡି ମରାମତି ପାଇଁ ବିଏମସି ଖାତାରୁ ୫୬ ହଜାର ଟଙ୍କା ଯାଇଛି । ଏହାକୁ ଲକ୍ଷ୍ୟରେ ରଖି ପେଟ୍ରୋଲ ପମ୍ପ ଏବଂ ଗ୍ୟାରେଜ ନିର୍ମାଣ ପାଇଁ ଯୋଜନା କରିଛି ବିଏମସି। ଏନେଇ ମାସିକିଆ କର୍ପୋରେସନ ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ଜାମୁକୋଳି ଗୋଶାଳା ଅତ୍ୟାଧୁନିକ କରାଯିବା ସହ ଗୋଶାଳା ନିକଟରେ ପଶୁ ଡାକ୍ତରଖାନା, ବାୟୋଗ୍ୟାସ ପ୍ରସ୍ତୁତି ଏବଂ ବ୍ୟବହାର ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ। ଆଜି ଏକାମ୍ର ହଲରେ ଅନୁଷ୍ଠିତ ଭୁବନେଶ୍ୱର ମୁନିସ୍ପାଲ କର୍ପୋରେସନ ବା ବିଏମସିର କର୍ପୋରେସନ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି।
ମାସିକିଆ କର୍ପୋରେସନ ବୈଠକରେ ଅନେକ ପ୍ରସ୍ତାବ ଉପରେ ମୋହର ମାରିଛି ବିଏମସି। ଚଳିତ ବର୍ଷ ରେକର୍ଡ ସଂଖ୍ୟାରେ ଟ୍ୟାକ୍ସ ଆଦାୟ ହୋଇଛି। ଆହୁରି ତ୍ୱରିତ କରିବାକୁ ନୂଆ ସପ୍ଟୱାର ଆଣିଛି ବିଏମସି। ପାଣ୍ଡରାରେ ସ୍ବତନ୍ତ୍ର ଏବଂ ଅତ୍ୟାଧୁନିକ ମାଛ ମାର୍କେଟ କରିବାକୁ ଯୋଜନା ରହିଥିବା ବେଳେ, ଏହାକୁ ଅନୁମୋଦନ ମିଳିଛି। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ବିଏମସିକୁ ଦିଆଯାଇଥିବା ବଜେଟ ଚିନ୍ତା ବଢ଼ାଇଛି। ସରକାର ଚଳିତ ଆର୍ଥିକ ବର୍ଷରେ ବିଏମସିକୁ ୩୨୭ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ବାର୍ଷିକ ଖର୍ଚ୍ଚ ପ୍ରାୟ ୮ ଶହରୁ ହଜାରେ କୋଟି। ବୈଠକରେ ଏନେଇ ମଧ୍ୟ ଆଲୋଚନା କରାଯାଇଛି। ଏହା ସହ ବିଭିନ୍ନ ୱାର୍ଡର ସମସ୍ୟା ଓ ସମାଧାନ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି।