ସଂଚାର ବ୍ୟୁରୋ: ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ନେଇ ବର୍ଷିଲା ବିଜେଡି। ଭୋଟ ସମୟରେ ମହିଳାଙ୍କୁ ଆଶା ଦେଖାଇଥିଲେ ବର୍ଷକୁ ୫୦ ହଜାର ଟଙ୍କା ଦେବେ। ଏମିତି କି ସମସ୍ତ ମହିଳାଙ୍କୁ ଦେବାକୁ ଇସ୍ତାହାରରେ କହିଥିଲେ। ହେଲେ ଏଥିରେ ୬୦ ବର୍ଷରୁ ଅଧିକ ମହିଳାଙ୍କୁ ବଞ୍ଚିତ କରାଗଲା। ଏହାସହ ୧୫୦୦ ଟଙ୍କା ମାସିକ ଆଧାରରେ ହେଲେ ଆଶା, ଅଙ୍ଗନବାଡି ମହିଳା ପ୍ରମୁଖ ସୁଭଦ୍ରା ଯୋଜନା ପାଇବେନି। ଋଣ କରି ଲକ୍ଷପତି ଦିଦି ହୋଇଛନ୍ତି ସେମାନେବି ବଞ୍ଚିତ ହେବେ। ସବୁଠାରୁ ବଡ଼ କଥା ହେଲା ଏବେ ସୁଭଦ୍ରା ଯୋଜନାରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ୨ ଥର ଦେବେ। ଏଥିରେ ମହିଳା ମାନେ କି ବ୍ୟବସାୟ କରିବେ ବୋଲି ପ୍ରଶ୍ନ କରିଛି ବିଜେଡି। ୭୦ ଲକ୍ଷ ମହିଳା ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ସମୟରେ ଲକ୍ଷପତି ଦିଦି ହୋଇଥିଲେ।
ପ୍ରତ୍ୟେକ ମହିଳା ସୁଭଦ୍ରା ଯୋଜନାଁରେ ପାଇବେ ବୋଲି ଆଶା ରଖିଥିଲେ। କିନ୍ତୁ ଏହା ଏବେ ପାଣିର ଗାର ହୋଇଛି। ସରକାରଙ୍କ ଧୂଆଁବାଣ ହୋଇଛି। ପୂର୍ବ ସରକାର ଛାତ୍ରଛାତ୍ରୀଙ୍କ ବୃତ୍ତିର ବ୍ୟବସ୍ଥା କରିଥିଲେ। ଛାତ୍ରଙ୍କ ପାଇଁ ୯ ହଜାର ଓ ଛାତ୍ରୀଙ୍କ ପାଇଁ ୧୦ ହଜାର ଟଙ୍କାର ବ୍ୟବସ୍ଥା କରିଥିଲେ ପୂର୍ବ ମୁଖ୍ୟମନ୍ତ୍ରୀ। ହେଲେ ଏହା ଏବେ ବନ୍ଦ ହୋଇଯାଇଛି। ଏବେର ସରକାରର ଅହଂକାର ବଢ଼ିଯାଇଛି। ନିଜକୁ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା କହୁଛନ୍ତି। ଏମାନଙ୍କୁ ଲୋକେ କେବେ କ୍ଷମା ଦେବେନି। ଏହା ସରକାରଙ୍କ ବିଫଳତା।
ଲୋକଙ୍କୁ ଠକିଛନ୍ତି ସରକାର, ଏହା ସାଧାରଣ ଲୋକଙ୍କ ପାଖକୁ ଗଲାଣି। ଇସ୍ତାହାରରେ ୩୦୦ ୟୁନିଟ ମାଗଣା ବିଜୁଳି କଥା ବିଜେପି କହିଥିଲା। ହେଲେ ଯାଏ ଗୋଟିଏ ୟୁନିଟ ମଧ୍ୟ ସାଧାରଣ ଚାଷୀ ପାଖକୁ ଗଲାନି। ଏହା ଏକ ବେପାରୀ ସଂସ୍ଥା ଭଳି ଚାଲିଛନ୍ତି। କେତେ ଲାଭ କେତେ କ୍ଷତି ହିସାବ କରୁଛନ୍ତି। ଭତ୍ତା ୩ ହଜାର ୫ଶହ ଦେବେ କହିଥିଲେ କିନ୍ତୁ ଏବେ କେବଳ ୮୦ ବର୍ଷରୁ ଉର୍ଧ୍ଵ ଲୋକଙ୍କୁ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଯାହାକି ଲୋକଙ୍କୁ ଠକିବା ଭଳି ବୋଲି କହିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।