ଭୁବନେଶ୍ବର ୟୁନିଟ୍-୧ ମାର୍କେଟରେ ବଡ଼ଧରଣର ଅଗ୍ନିକାଣ୍ଡ । ୟୁନିଟ୍-୧ ପରିବା ମାର୍କେଟରେ ଲାଗିଛି ନିଆଁ । ହୁତୁ ହୁତୁ ହୋଇ ଜଳୁଛି ୧୫ରୁ ୨୦ଟି ଦୋକାନ । ତେବେ କାହିଁକି ନିଆଁ ଲାଗିଲା ତା’ର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ସେପଟେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି ।
ରାଜଧାନୀର ସବୁଠୁ ବ୍ୟସ୍ତବହୁଳ ବଜାର ମଧ୍ୟରୁ ଅନ୍ୟତମ ହେଉଛି ଏକ ନମ୍ବର ମାର୍କେଟ୍ । ତେବେ ମିଳିଥିବା ସୂଚନା ଅନୁସାରେ, ବୁଧବାର ଅପରାହ୍ମ ସମୟରେ ୟୁନିଟ୍-୧ ମାର୍କେଟରେ ନିଆଁ ଲାଗିଥିଲା । ଆଉ ଦେଖୁ ଦେଖୁ ନିଆଁ ଗୋଟିଏ ପରେ ଗୋଟିଏ ଦୋକାନକୁ ବ୍ୟାପିବାରେ ଲାଗିଥିଲା । କେହି କିଛି ବୁଝିବା ଆଗରୁ ଏକାଧିକ ଦୋକାନକୁ ନିଆଁ ମାଡ଼ି ଯାଇଥିଲା । ତେବେ ନିଆଁ ଲାଗିଥିବା ଦେଖି ବ୍ୟବସାୟୀ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଅଗ୍ନିକାଣ୍ଡ ଫଳରେ କେତେ କ୍ଷୟକ୍ଷତି ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।