ସଂଚାର ବ୍ୟୁରୋ: ବାଂଲାଦେଶରେ ରାଜନୈତିକ ଅସ୍ଥିରତା ଦୂର କରିବାକୁ ଗଠନ ହୋଇଛି ଅନ୍ତରୀଣ ସରକାର । ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସଙ୍କୁ ଅନ୍ତରୀଣ ସରକାରର ଅଧ୍ଯକ୍ଷ ଭାବେ ନିଯୁକ୍ତ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ରାଷ୍ଟ୍ରପତିଙ୍କ ସଚିବ ଏହି ସୂଚନା ଦେଇଛନ୍ତି । ୟୁନୁସ ମଧ୍ଯ ଏଥିରେ ରାଜି ହୋଇଛନ୍ତି । ଅନ୍ତରୀଣ ସରକାର ଚଳାଇବା ଲାଗି ଗତକାଲି ତାଙ୍କୁ ନେତାଭାବେ ମନୋନୀତ କରାଯାଇଥିଲା । ରାଷ୍ଟ୍ରପତିଙ୍କ ଅଧ୍ଯକ୍ଷତାରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଥିଲା । ଗତକାଲି ରାତି ସୁଦ୍ଧା ଅନ୍ତରୀଣ ସରକାର ଗଠନ ହେବ ବୋଲି ସେନାଧ୍ଯକ୍ଷ ସୂଚନା ଦେଇଥିଲେ । ଏଥିପାଇଁ ସୌହାର୍ଦ୍ଦ୍ଯପୂର୍ଣ୍ଣ ପରିବେଶ ସୃଷ୍ଟି କରିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୁଖ୍ଯ ବିରୋଧୀ ଦଳ ନେତ୍ରୀ ଖାଲେଦା ଜିଆଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ବ୍ଯାପକ ବିଚାର ଆଲୋଚନା ପରେ ଗତକାଲି ବିଳମ୍ବିତ ରାତିରେ ୟୁନୁସଙ୍କ ନାଁ ଘୋଷଣା କରାଯାଇଛି । ଏବେ ଦେଶରେ ହିଂସା ସ୍ଥିତି ଧୀରେଧୀରେ ସ୍ବାଭାବିକ ହେବାରେ ଲାଗିଛି । ତେବେ ରାଜଧାନୀ ଢାକାରେ ଆହୁରି ଶହେ ଲୋକଙ୍କର ମୃତ୍ଯୁ ହୋଇଥିବା ଜଣାପଡ଼ିଛି । ହିଂସାକାଣ୍ଡରେ ମୋଟ ୪୪୦ ଜଣଙ୍କର ମୃତ୍ଯୁ ହୋଇଥିବା ସରକାରୀ ସୂତ୍ରରୁ ପ୍ରକାଶ ପାଇଛି । ଏବେବି ବିଭିନ୍ନ ସ୍ଥାନରେ ଗୋଷ୍ଠୀ ସଂଘର୍ଷ ଓ ଲୁଟପାତ ଜାରି ରହିଛି । ଏପଟେ ହସିନାଙ୍କ ଭବିଷ୍ୟତ ନେଇ ଅନିଶ୍ଚିତତା ବଢିବାରେ ଲାଗିଛି । ବ୍ରିଟେନ ଆଶ୍ରୟ ଦେବାକୁ ମନା କରିବା ପରେ ହସିନାଙ୍କ ଚିନ୍ତା ବଢିଛି ।ସେ କେଉଁ ଦେଶକୁ ଯାଇ ଆଶ୍ରୟ ନେବେ ସେ ସମ୍ପର୍କରେ ବିଚାର କରୁଥିବା ଜଣାପଡ଼ିଛି । ଏହାଭିତରେ ସେ ଫିନଲାଣ୍ଡ ଯାଇପାରନ୍ତି ବୋଲି ସୂଚନା ମିଳିଛି । ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନନେବା ଯାଏଁ ସେ ଭାରତରେ ରହିବେ ।