ସଂଚାର ବ୍ୟୁରୋ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ୱର ଓ ମୟୁରଭଞ୍ଜ ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହେଲାଣି। ଜଳକା ନଦୀ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ବାଲେଶ୍ୱର ସହରରେ ଲହଡ଼ି ଭାଙ୍ଗୁଛି ପାଣି। ଏଥିସହ ମୟୁରଭଞ୍ଜ ଜିଲ୍ଲାରେ ବି ପ୍ରବଳ ବର୍ଷା ହେତୁ ଦେଓ ନଦୀର ଡ୍ୟାମର କରଞ୍ଜିଆସ୍ଥିତ ଡ୍ୟାମ୍ର ୩ ଗେଟ୍ ଖୋଲାଯାଇଛି ।
ବାଲେଶ୍ୱର ସହରରେ ପ୍ରାୟ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଥିବା ବେଳେ ତାହା ନଦୀର ଭ୍ରମ ସୃଷ୍ଟି କରୁଛି । ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱରର ଅବସ୍ଥା ବେହାଲ । ମୁଖ୍ୟ ରାସ୍ତାରେ ପ୍ରବାହିତ ହେଉଛି ଫୁଟେ ଉଚ୍ଚର ପାଣି ।
ବାଲେଶ୍ୱରର ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ସକାଳୁ ପିଲାଙ୍କ ସ୍କୁଲ ଯିବାଠୁ ଆରମ୍ଭ କରି ଲୋକଙ୍କ ଅଫିସ ଯିବା ପର୍ଯ୍ୟନ୍ତ ସବୁ ଠପ୍ ହୋଇ ଯାଇଛି। ଏହି ରାସ୍ତା ଫକୀର ମୋହନ ମେଡିକାଲ କଲେଜକୁ ସଂଯୋଗ କରୁଥିବାରୁ ରୋଗୀଙ୍କ ଯାତାୟତରେ ବାଧା ସୃଷ୍ଟି ହେଉଛି। ଏଥିସହ ବାଲେଶ୍ୱରରୁ ରେମୁଣା ଓ ଏନଏଚ୍-୧୬କୁ ସଂଯୋଗ କରୁଥିବା ରାସ୍ତାରେ ଯାତାୟତ ପ୍ରାଭାବିତ ହୋଇଛି।