ଆମ ନିୟମିତ ଜୀବନରେ ଆମେ ଏମିତି କିଛି ଭୁଲ୍ କରିଥାଉ, ଯାହା ପୁରୁଷଙ୍କଠାରେ ଶୁକ୍ରାଣୁ କମ୍ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାନ୍ତି । ଅତ୍ୟଧିକ ଚିନ୍ତା, ଭୁଲ୍ ଖାଦ୍ୟପଦାର୍ଥ, ଦିନଚର୍ଯ୍ୟାରେ ବ୍ୟତିକ୍ରମ ଆଦି ହେଉଛି ପୁରୁଷଙ୍କ ପ୍ରଜନନ କ୍ଷମତା କମାଇବାର ପ୍ରମୁଖ କାରଣ । ଯଦି ଆପଣଙ୍କ ସେକ୍ସ ଡ୍ରାଇଭ୍ରେ କିଛି ସମସ୍ୟା ଥାଏ, ତେବେ ଏଥିପାଇଁ ଏସବୁ ଅଭ୍ୟାସ ଦାୟୀ ହୋଇପାରନ୍ତି । ତେଣୁ ଏଭଳି କାରଣଠାରୁ ନିଜକୁ ଦୂରେଇ ନେବା ଉଚିତ୍ ହେବ । କାରଣଗୁଡିକ ହେଲା..
ଅତ୍ୟଧିକ ଚିନ୍ତା
ପୁରୁଷମାନେ ଅତ୍ୟଧିକ ଚିନ୍ତାରେ ରହିବା ଯୋଗୁ ସେମାନଙ୍କର ଶୁକ୍ରାଣୁ ସଂଖ୍ୟା ହ୍ରାସ ପାଇଥାଏ । ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଅନୁସାରେ, ପୁରୁଷମାନେ ଅଧିକ ଚିନ୍ତା କରିବା ଯୋଗୁଁ ସେମାନଙ୍କ ବୀର୍ଯ୍ୟର ମାତ୍ରା କମିବା ସହ ଶୁକ୍ରାଣୁର ଗୁଣବତ୍ତା ହ୍ରାସ ପାଇଥାଏ । ତେଣୁ ସବୁବେଳେ ଯଥାସମ୍ଭବ ଖୁସି ରହିବା ପାଇଁ ପ୍ରୟାସ କରିବା ଦରକାର ।
ବ୍ୟାୟାମ ନ କରିବା
ବ୍ୟାୟାମ ନ କରିବା ଯୋଗୁ ମୋଟାପଣ ବଢିଥାଏ । ଫଳରେ ଶୁକ୍ରାଣୁର ଗତିଶୀଳତା ଧୀମା ହୋଇଥାଏ, ଯାହାର ସିଧାସଳଖ ପ୍ରଭାବ ପ୍ରଜନନ କ୍ଷମତା ଉପରେ ହିଁ ପଡିଥାଏ । ତେଣୁ ଖାଲି ବସି ରହିବା ଅଭ୍ୟାସ ଯୋଗୁ ମେଟାବଲିଜିମ୍ ଧୀମା ହେବା ସହ ମୋଟାପଣ ବଢିଥାଏ । ତେଣୁ ପୁରୁଷମାନଙ୍କୁ ଶାରିରୀକ ଭାବେ ସକ୍ରିୟ ରହିବା ବହୁତ ଜରୁରୀ ।
ମଦ୍ୟପାନ ଅଭ୍ୟାସ ଛାଡ଼ନ୍ତୁ
ଡ୍ରଗ୍ସ, ମଦ୍ୟପାନ ଓ ତମାଖୁ ଦୀର୍ଘଦିନ ଯାଏ ନେବା ପୁରୁଷଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ଏହି ଅଭ୍ୟାସ ଆପଣଙ୍କୁ ରୋଗାଗ୍ରସ୍ତ କରିପାରେ । ଅଧିକ ମଦ୍ୟପାନ କରିବା ଦ୍ୱାରା ଟେଷ୍ଟୋଷ୍ଟେରନ୍ର ଉତ୍ପାଦନ କମିଥାଏ । ଏହି ହର୍ମୋନ୍ ସେକ୍ସ ଡ୍ରାଇଭ୍କୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ଦୀର୍ଘଦିନ ମଦ୍ୟପାନ କରିବା ଯୋଗୁ ଟେଷ୍ଟୋଷ୍ଟେରନ୍ ଉତ୍ପାଦନ କମିବା ସହ ଶୁକ୍ରାଣୁ ସଂଖ୍ୟା ମଧ୍ୟ ହ୍ରାସ ପାଇଥାଏ ।
ବାହାର ଖାଦ୍ୟପଦାର୍ଥର ଅଭ୍ୟାସ
ବାରମ୍ବାର ଜଙ୍କ୍ ଫୁଡ୍ ଖାଇବା ଦ୍ୱାରା ପୁରୁଷଙ୍କଠାରେ ଶୁକ୍ରାଣୁ ସଂଖ୍ୟା କମିଚାଲେ । ଅଧିକାଂଶ ବାହାର ଖାଦ୍ୟ ଯେମିତି- ପିଜା, ଚିପ୍ସ, ପ୍ରୋସେସ୍ଡ ଏବଂ ରେଡ୍ ମିଟ୍, ସ୍ନାକ୍ସ, ଏନର୍ଜି ଡ୍ରିଙ୍କ୍, ମିଠା, ଅଧିକ ତେଲ ଓ ମଇଦାଯୁକ୍ତ ଖାଦ୍ୟର ଅଧିକ ବ୍ୟବହାର ଦ୍ୱାରା ଶୁକ୍ରାଣୁ ପ୍ରଭାବିତ ହୋଇପାରନ୍ତି । ତେଣୁ ଯଥାସମ୍ଭବ ଘରେ ତିଆରି ଖାଦ୍ୟକୁ ଗୁରୁତ୍ୱ ଦେବା ଜରୁରି ।
ରାତିରେ ଡେରିରେ ଶୋଇବା
ରାତିରେ ଡେରିରେ ଶୋଇବା ମଧ୍ୟ ଚିନ୍ତା ଓ ମୋଟାପଣ ସହ ଶୁକ୍ରାଣୁ ସଂଖ୍ୟା କମିବାର ଅନ୍ୟତମ କାରଣ । ସେହିପରି ରାତିରେ ଅଧିକ ସମୟ ଅନିଦ୍ରା ରହିବା ଦ୍ୱାରା ଏହାର ସିଧା ପ୍ରଭାବ ଆଖି ଓ ମସ୍ତିଷ୍କ ଉପରେ ପଡିଥାଏ, ଯାହା ଶରୀର ପାଇଁ ଆଦୌ ଖୁବ୍ କ୍ଷତିକାରକ । ଡେରିରେ ଶୋଇବା ଅଭ୍ୟାସ ଧୀରେ ଧୀରେ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ କମ୍ କରିଥାଏ, ଯାହା ଶୁକ୍ରାଣ ସଂଖ୍ୟା ଓ ଗୁଣବତ୍ତାକୁ ହ୍ରାସ କରିଥାଏ ।