ହାରିଲା ଭାରତ। ୧୦ ୱିକେଟ୍ରେ ବିଜୟୀ ହେଲା ଅଷ୍ଟ୍ରେଲିଆ। ଏହା ସହିତ ଚଳିତ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ରେ ୧-୧ ସ୍ଥିତିରେ ପହଞ୍ଚି ଯାଇଛନ୍ତି ଉଭୟ ଦଳ। ପର୍ଥରେ ଟେଷ୍ଟ ୨୯୫ ରନ୍ରେ ପରାସ୍ତ ହୋଇଥିବା ଅଷ୍ଟ୍ରେଲିଆକୁ ଆଡିଲେଡ୍ ଓଭାଲରେ ଭାରତ ଦେଇଥିଲା ମାତ୍ର ୧୯ ରନ୍ର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ଏହାକୁ କୌଣସି ୱିକେଟ୍ ନହରାଇ ୩.୨ ଓଭରରେ ହାସଲ କରି ନେଇଥିଲା।
ଗତକାଲି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ୍ କରି ଅଲ୍ ଆଉଟ୍ ହେବା ପରେ ଭାରତର ଦ୍ୱିତୀୟ ଇନିଂସ କରିଥିଲା। କିନ୍ତୁ ଦଳର ପ୍ରଦର୍ଶନ ଭଲ ନଥିଲା। ପ୍ରଥମ ଇନିଂସ ଭଳି ଦଳ ଖୁବ୍ଶୀଘ୍ର ୱିକେଟ୍ ହରାଇଥିଲା। ଗତକାଲି ଷ୍ଟମ୍ପ ଅପସାରଣ ବେଳକୁ ଭାରତ ୧୨୮ ରନ୍ କରି ୫ଟି ୱିକେଟ୍ ହରାଇଥିଲା। ଆଉ ଆଜି ସକାଳୁ ପୁଣି ଖେଳ ଆରମ୍ଭ ହେବାର ମାତ୍ର ଏକ ଘଣ୍ଟାରୁ ଟିକେ ଅଧିକ ସମୟ ମଧ୍ୟରେ ଭାରତର ବାକି ୫ଟି ୱିକେଟ୍ ପଡ଼ିଯାଇଥିଲା। ଆଜି ପ୍ରଥମ ଓଭରରେ ଯାଇଥିଲା ଋଷଭ ପନ୍ତଙ୍କ ୱିକେଟ୍। ତା’ପରେ ଅଳ୍ପ ସମୟ ବ୍ୟବଧାନରେ ଆଉଟ୍ ହୋଇଯାଇଥିଲେ ଅନ୍ୟ ସମସ୍ତ ବ୍ୟାଟର।
ଓପନର ଯଶସ୍ୱୀ ଜୈସୱାଲ ଓ କେଏଲ୍ ରାହୁଲ ଯଥାକ୍ରମେ ୨୪ ଓ ୭ ରନ୍ କରି ଆଉଟ୍ ହୋଇଥିଲେ। ପର୍ଥରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଏହି ଦୁଇ ବ୍ୟାଟରଙ୍କ ମଧ୍ୟରେ ୨୦୧ ରନ୍ର ପାର୍ଟନରଶିପ ହୋଇଥିଲା। ତେଣୁ ଏଥର ବି ସେମାନଙ୍କ ଉପରେ ଏକ ବଡ଼ ପାର୍ଟନରଶିପର ଆଶା ରଖିଥିଲେ ସମସ୍ତେ। କିନ୍ତୁ ଉଭୟ ନିରାଶ କରିଥିଲେ।
ପ୍ରଥମ ଇନିଂସରେ ୩୧ ରନ୍ କରିଥିବା ଶୁବମନ ଗିଲ ଦ୍ୱିତୀୟ ଇନିଂସରେ ୨୮ ରନ୍ କରିଥିଲେ। ସେହିଭଳି ପ୍ରଥମ ଇନିଂସରେ ବିଫଳ ହୋଇଥିବା ବିରାଟ କୋହଲି ଦ୍ୱିତୀୟ ଇନିଂସରେ ମଧ୍ୟ ସଫଳ ହୋଇପାରି ନଥିଲେ। ପ୍ରଥମ ଇନିଂସରେ ୭ ରନ୍ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୧୧ ରନ୍ କରି ଆଉଟ୍ ହୋଇଥିଲେ।