ସଂଚାର ବ୍ୟୁରୋ: ଆସନ୍ତା ୨୧ ତାରିଖରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ପାରନ୍ତି ଆତିଶୀ। ଆତିଶୀଙ୍କୁ ଆସନ୍ତା ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକସେନା। ପୂର୍ବରୁ ଲେପ୍ଟେନାଣ୍ଟ ଗଭର୍ଣ୍ଣର ଭିକେ ସକସେନାଙ୍କୁ ଭେଟି ସରକାର ଗଠନ ଦାବି ଉପସ୍ଥାପନ କରିଥିଲେ ଆତିଶୀ। ଏ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଚିଠି ଲେଖିଛନ୍ତି ଦିଲ୍ଲୀ ଉପରାଜ୍ୟପାଳ। ତେବେ ରାଜ୍ୟପାଳଙ୍କ ପ୍ରସ୍ତାବ ଉପରେ ଆମ ଆଦମୀ ପାର୍ଟି କୌଣସି ଦିନ ଧାର୍ଯ୍ୟ କରିନାହିଁ। ଆସନ୍ତା ଫେବୃଆରୀ ୨୩ରେ ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ସରୁଥିବାରୁ ଫେବୃଆରୀ ମାସ ମଧ୍ୟରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବା ସମ୍ଭାବନା ରହିଛି।
ଆତିଶୀ ଆଉ ୪ରୁ ୫ ମାସ ପର୍ଯ୍ୟନ୍ତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବେ। କେଜରିୱାଲ ଇସ୍ତଫା ଦେଇଥିବାରୁ ସେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ବାସଭବନ ଆସନ୍ତା ୧୫ ଦିନ ମଧ୍ୟରେ ଛାଡୁଥିବା ସୂଚନା ମିଳିଛି। ଏହାସହ କେଜରିୱାଲଙ୍କ ସୁରକ୍ଷାରେ ନିୟୋଜିତ ସଦସ୍ୟ ମଧ୍ୟ ହଟିବେ। ଦିଲ୍ଲୀର ରାଜ ନିବାସରେ ଅନୁଷ୍ଠିତ ହେବ ଆତିଶୀଙ୍କ ଶପଥଗ୍ରହଣ ସମାରୋହ। କେଜରିୱାଲ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାରୁ ଏତେଟା ଜାକଜମକରେ ଶପଥଗ୍ରହଣ ସମାରୋହ ହେଇନପାରେ। ଆତିଶୀ ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ କାହାକୁ ମିଳିବ ମନ୍ତ୍ରୀପଦ ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି।
ପୂର୍ବରୁ ମନ୍ତ୍ରୀ ପଦ ପାଇଥିବା ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ଵାଜ, ଇମ୍ରାନ ହୁସେନ ମନ୍ତ୍ରୀପଦ ବଜାୟ ରଖିବା ସମ୍ଭାବନା ରହିଛି। ଅନ୍ୟ ଦୁଇ ବିଧାୟକଙ୍କୁ ମିଳିପାରେ ମନ୍ତ୍ରୀପଦ। ବିଧାୟକ ବିଶେଷ ରବି ଏବଂ କୁଲଦୀପ କୁମାରକୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବା ସମ୍ଭାବନା ରହିଛି। ମନ୍ତ୍ରିମଣ୍ଡଳ ଗଠନ ପରେ ଆସନ୍ତା ୨୬ ଓ ୨୭ ତାରିଖରେ ଦିଲ୍ଲୀ ବିଧାନସଭାରେ ସଂଖ୍ଯା ଗରିଷ୍ଠତା ପ୍ରମାଣ କରିବେ ଆତିଶୀ।