ସଂଚାର ବ୍ୟୁରୋ: ଦିଲ୍ଲୀରେ ଚାଲିଲା ଆତିଶୀ ରାଜ। ଦିଲ୍ଲୀର ଅଷ୍ଟମ ମୁଖ୍ଯମନ୍ତ୍ରୀ ଓ ତୃତୀୟ ମହିଳା ମୁଖ୍ଯମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଆତିଶୀ ମାର୍ଲେନା ସିଂ। ରାଜନିବାସରେ ଆୟୋଜିତ ସମାରୋହରେ ସେ ଶପଥ ନେଇଛନ୍ତି। ଆତିଶୀଙ୍କ ସହ ଗୋପାଳ ରାୟ, କୈଳାସ ଗେହଲଟ, ସୌରଭ ଭରଦ୍ବାଜ, ଇମରାନ ହୁସେନ ଶପଥ ନେଇଛନ୍ତି। ନୂଆମୁହଁ ଭାବେ ସୁଲତାନପୁର ମାଜରା ବିଧାୟକ ମୁକେଶ ଅହଲାୱତ ବି ନେଇଛନ୍ତି ଶପଥ। ଅରବିନ୍ଦ କେଜରିୱାଲଙ୍କ ଇସ୍ତଫା ପରେ ଆପ୍ ବିଧାୟକ ଦଳ ବୈଠକରେ ଆତିଶୀଙ୍କୁ ନେତା ନିର୍ବାଚିତ କରାଯାଇଥିଲା। ପୂର୍ବ ମନ୍ତ୍ରିମଣ୍ଡଳରେ ସେ ୧୩ଟି ବିଭାଗର ମନ୍ତ୍ରୀ ଥିଲେ। ଅକ୍ସଫୋର୍ଡର ଛାତ୍ରୀ ତଥା କାଲକାଜୀ ବିଧାୟିକା ଦେଶର ୧୭ତମ ମହିଳା ମୁଖ୍ଯମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଦିଲ୍ଲୀର ସବୁଠାରୁ କମ ବୟସ୍କା ମୁଖ୍ଯମନ୍ତ୍ରୀ ବାବେ ବି ଆତିଶୀ ତାଲିକାଭୁକ୍ତ ହୋଇଛନ୍ତି। ୧୯୮୧ ଜୁନ ୮ରେ ଆତିଶୀ ମାର୍ଲେନା ସିଂଙ୍କ ଜନ୍ମ। ମାର୍କସ ଓ ଲେନିନଙ୍କ ନାମକୁ ଆଧାର କରି ଦିଆଯାଇଥିଲା ମାର୍ଲେନା ନାମ। ଦିଲ୍ଲୀର ସେଣ୍ଟ ଷ୍ଟିଫେନ୍ସ କଲେଜ ଓ ଅକ୍ସଫୋର୍ଡରୁ ଶିକ୍ଷାଲାଭ କରିଥିବା ଆତିଶୀ ୨୦୧୨ରେ ଆପର ପ୍ରତିଷ୍ଠା ଆରମ୍ଭରୁ ଥିଲେ ଦଳର ସଦସ୍ଯ। ଲୋକସଭା ନିର୍ବାଚନରେ ଥିଲା ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା। କେଜରିୱାଲଙ୍କ ଗିରଫଦାରୀ ପରେ ଦିଲ୍ଲୀ ସରକାରଙ୍କ ପ୍ରମୁଖ ଦାୟିତ୍ବ ନେଇଥିଲେ ଆତିଶୀ। ନିର୍ବିବାଦୀୟ ବ୍ଯକ୍ତିତ୍ବ, ଲୋକାଭିମୁଖୀ କାର୍ଯ୍ୟ ଯୋଗୁ ତାଙ୍କ ନାମରେ ବାଜିଥିଲା ମୋହର। ଆସନ୍ତା ବର୍ଷ ଫେବୃଆରୀରେ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହେବ।