ସୁପର ସନ୍ଡେରେ ହାଇଭୋଲଟେଜ୍ ମୁକାବିଲା । ଚଳିତ ଏସିଆ କପରେ ପୁଣିଥରେ ମୁହାଁମୁହିଁ ହେବେ ପାରମ୍ପରିକ ପ୍ରତିଦ୍ବନ୍ଦି ଭାରତ ଓ ପାକିସ୍ତାନ । ସୁପର-୪ ଲଢ଼େଇରେ ଆଜି ପରସ୍ପରକୁ ଭେଟିବେ ଉଭୟ ଦଳ । ଏହି ମୁକାବିଲାରେ ଲିଗ୍ ଲଢ଼େଇର ପୁନରାବୃତ୍ତି ହେବ ବୋଲି ଆଶା ରଖିଛନ୍ତି ଭାରତୀୟ କ୍ରୀଡ଼ାପ୍ରେମୀ । ପାକିସ୍ତାନ ପ୍ରତିଶୋଧ ନେବାକୁ ଓ ଭାରତ ତା’ର ଦବଦବା କାଏମ ରଖିବାକୁ ପଡ଼ିଆକୁ ଓହ୍ଲାଇବ । ଚର୍ଚ୍ଚିତ କରମର୍ଦ୍ଦନ ବିବାଦ ପରେ ଉଭୟ ଦଳ ନିଜର କମାଲ ଦେଖାଇବାକୁ ବ୍ୟଗ୍ର ଥିବା ବେଳେ ସାରା ବିଶ୍ବର ନଜର ଏହି ମ୍ୟାଚ୍ ଉପରେ ରହିଛି । ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଭାରତ ସହଜରେ ପାକିସ୍ତାନକୁ ଧରାଶାୟୀ କରିଥିଲା । ଆଜିର ମ୍ୟାଚରେ ପାକିସ୍ତାନ ଭାରତକୁ କଡ଼ା ଟକ୍କର ଦେବ ବୋଲି ଏହି ଦେଶର ସମର୍ଥକ ଦାବି କରୁଥିବା ବେଳେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବରେ ଟିମ୍ ଇଣ୍ଡିଆ ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା ରଖିଛନ୍ତି ଭାରତୀୟ ପ୍ରଶଂସକ । ଭାରତ ତା’ର ୩ଟି ଯାକ ଲିଗ୍ ମ୍ୟାଚରେ ବିଜୟ ହାସଲ କରି ସୁପର-୪କୁ ଆସିଛି । ପାକିସ୍ତାନ ଭାରତଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ ବି ବାକି ଦୁଇଟି ମ୍ୟାଚରେ ବିଜୟ ହାସଲ କରି ସୁପର-୪ରେ ପ୍ରବେଶ କରିଛି । ତେବେ ଏସିଆ କପ୍ର ସଫଳତା, ଦଳୀୟ ସନ୍ତୁଳନ ଓ ପୂର୍ବ ପରିସଂଖ୍ୟାନ ଦୃଷ୍ଟିରୁ ଏହି ମ୍ୟାଚରେ ମଧ୍ୟ ଭାରତର ପଲ୍ଳା ଭାରି ରହିବ ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ଆକଳନ କରିଛନ୍ତି ।