ସଂଚାର ବ୍ୟୁରୋ: ପୁଣି ଆପ୍ ପଛରେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର। ମହିଳାଙ୍କୁ ୨୧୦୦ ଟଙ୍କା ସହାୟତା ଦେବା ଲାଗି ଆପର ନିର୍ବାଚନ ପ୍ରତିଶ୍ରୁତି ତଦନ୍ତ ଲାଗି ମୁଖ୍ଯସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଲଜି। ସେହିପରି କଂଗ୍ରେସ ପ୍ରାର୍ଥୀଙ୍କ ଘର ନିକଟରେ ପଞ୍ଜାବର ଗୁଇନ୍ଦା ଅଧିକାରୀମାନେ ଘୂରିବୁଲିବା ତଥା ଟଙ୍କା କାରବାର କରୁଥିବା ନେଇ କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତଙ୍କ ଅଭିଯୋଗର ତଦନ୍ତ ଲାଗି ପୋଲିସ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏଲଜି। ଗତ ଗୁରୁବାର ଏଲଜି ଭି.କେ. ସକ୍ସେନାଙ୍କୁ ଭେଟିଥିଲେ କଂଗ୍ରେସ ନେତା ତଥା ନୂଆଦିଲ୍ଲା ବିଧାନସଭା ପ୍ରାର୍ଥୀ ସନ୍ଦୀପ ଦୀକ୍ଷିତ। ଏହି ଆସନରୁ ପ୍ରାର୍ଥୀ ହୋଇଛନ୍ତି ଆପ୍ ନେତା ଅରବିନ୍ଦ କେଜରିୱାଲ। ମହିଳା ସମ୍ମାନ ଯୋଜନା ଓ ସଞ୍ଜୀବନୀ ଯୋଜନା ନେଇ ଦୁଇଟି ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପରେ ଏଲଜି ନୋଟିସ ଜାରି କରିଛନ୍ତି। ମହିଳା ସମ୍ମାନ ଯୋଜନାର ସର୍ଭେ ଲାଗି ବେସରକାରୀ ବ୍ଯକ୍ତି ବିଶେଷ ନିୟୋଜିତ ହେଉଥିବାରୁ ଏହାର ତଦନ୍ତ ଲାଗି ଏଲଜି ସେକ୍ରେଟାରିଏଟ ପକ୍ଷରୁ ଡିଭିଜନାଲ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗତ ସୋମବାର ମହିଳା ସମ୍ମାନ ଯୋଜନା ଲାଗି ପଞ୍ଜିକରଣ ଆରମ୍ଭ କରିଥିଲେ ଆପ୍ ସୁପ୍ରିମୋ ଅରବିନ୍ଦ କେଜରିୱାଲ ଓ ମୁଖ୍ଯମନ୍ତ୍ରୀ ଆତିଶୀ।