ସଂଚାର ବ୍ୟୁରୋ: ଆନ୍ଧ୍ର ପ୍ରଦେଶରେ ବର୍ଷା ବିତ୍ପାତ । ଡିପ୍ରେସନ ପ୍ରଭାବରେ ପ୍ରବଳ ବର୍ଷା ନେଇ ୪୮ ଘଣ୍ଟା ପାଇଁ ଜାରି ହୋଇଛି ୱାର୍ଣ୍ଣିଂ। ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ପୂର୍ବରୁ ହୋଇଥିବା ବର୍ଷା କାରଣରୁ ଆନ୍ଧ୍ରର ଅନେକ ଅଞ୍ଚଳରେ ବନ୍ୟାସ୍ଥିତିରେ ଏଯାଏଁ ସୁଧାର ଆସି ନଥିବାବେଳେ, ଗତକାଲି ସନ୍ଧ୍ୟା ଠାରୁ ପୁଣି ପ୍ରବଳ ବର୍ଷା ଜାରି ରହିଛି । ଲଘୁଚାପ ଡିପ୍ରେସନର ରୂପ ନେବା ପରେ ବର୍ଷାର ପରିମାଣ ବଢ଼ିବାରେ ଲାଗିଛି । ଫଳରେ ସାଧାରଣ ଜୀବନ ଯାତ୍ରା ଗୁରୁତର ଭାବେ ପ୍ରଭାବିତ ହୋଇଛି।
ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଜୟନଗର, ବିଶାଖାପାଟଣା, ପଶ୍ଚିମ ଓ ପୂର୍ବ ଗୋଦାବରୀ ଏବଂ କ୍ରିଷ୍ଣା ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ବହୁ ନଦୀର ଜଳସ୍ତର ବଢିବା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ କୁହାଯାଇଛି। ଗତ ମାସ ଶେଷବେଳକୁ ଲଗାଣ ବର୍ଷା ଯୋଗୁଁ ଆନ୍ଧ୍ରପ୍ରଦେଶର ବିଜୟୱାଡା ସହର ସମ୍ପୂର୍ଣ ଜଳମଗ୍ନ ହୋଇଥିଲା।