ହ୍ୟାଣ୍ଡକଫ ପକାଇ ଆମେରିକାରୁ ପ୍ରବାସୀଙ୍କୁ କରାଯାଉଛି ବିଦା । ସାରା ଆମେରିକାରେ ଏବେ ଆତଙ୍କ । ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶନାମା ଅନୁସାରେ ସାମରିକ ହେଲିକପ୍ଟର ସି-17 ଜରିଆରେ ବିଭିନ୍ନ ଦେଶକୁ ସେମାନଙ୍କ ନାଗରିକଙ୍କୁ ପଠାଯିବା ଦେଖାଯାଇଛି । ଆମେରିକାରେ ବର୍ତ୍ତମାନ ପ୍ରାୟ ୧୪ ନିୟୁତ ପ୍ରବାସୀ ରହୁଛନ୍ତି ଯାହା ନିକଟରେ ବୈଧ ପ୍ରମାଣପତ୍ର ନାହିଁ । ତେବେ ଟ୍ରମ୍ପଙ୍କ କହିବା ଅନୁସାରେ ଦେଶରେ ୨୦ରୁ ୨୫ ନିୟୁତ ବେଆଇନ ପ୍ରବାସୀ ବାସ କରୁଛନ୍ତି । ଅପରାଧିକ ରେକର୍ଡ ଥିବା ୬ ଲକ୍ଷ ୫୫ ହଜାର ଲୋକଙ୍କ ସମେତ ୧୪ ଲକ୍ଷ ଲୋକଙ୍କୁ ପଠାଇଦିଆଯିବ ବୋଲି ସେମାନଙ୍କ ନିକଟରେ ଆଦେଶନାମା ପହଞ୍ଚି ଯାଇଥିବା ସୂଚନା ମିଳିଛି । ସେପଟେ ଭାରତୀୟମାନଙ୍କୁ ଫେରାଇ ଆଣିବା ପ୍ରକ୍ରିୟାରେ ସହଯୋଗ କରାଯିବ ବୋଲି ଭାରତ କହିଛି । କେବଳ ଆମେରିକା ନୁହେଁ ବରଂ ବିଶ୍ବର ବିଭିନ୍ନ ରାଷ୍ଟ୍ରରେ ବେଆଇନ ଭାବେ ରହିଥିବା ଭାରତୀୟଙ୍କୁ ଫେରାଇଅଣାଯିବ ବୋଲି କହିଛି ବୈଦେଶିକ ମନ୍ତ୍ରାଳୟ । ସେପଟେ ଆମେରିକାରେ ପାର୍ଟଟାଇମ ଜବ୍ କରୁଥିବା ଭାରତୀୟ ଛାତ୍ରମାନେ ଚାକିରି ଛାଡିବା ଆରମ୍ଭ କରିଛନ୍ତି । କେତେକ ଛାତ୍ର କହିଛନ୍ତି ସେଠାରେ ବଞ୍ଚିବା ଲାଗି ଚାକିରି ଜରୁରୀ ହୋଇଥିବା ସତ୍ତ୍ବେ ଭବିଷ୍ୟତରେ ବିପଦର ସମ୍ମୁଖୀନ ନହେବା ଲାଗି ସେମାନେ ଚାକିରି ଛାଡୁଛନ୍ତି । କଲେଜରେ ସିଟ ପାଇବା ଲାଗି ସେମାନଙ୍କ ମଧ୍ଯରୁ ଅନେକେ ଋଣ ନେଇଥିବାବେଳେ ପାର୍ଟଟାଇମ ଜବ ସମସ୍ଯା ସୃଷ୍ଟି କରିପାରେ ବୋଲି ଆଶଙ୍କା ପ୍ରକାଶ ପାଉଛି । ଆମେରିକାରେ F-1 ଭିସା ଅନୁସାରେ କ୍ଯାମ୍ପସ ମଧ୍ଯରେ ସାପ୍ତାହିକ ୨୦ ଘଣ୍ଟା କାମ କରିପାରିବେ । ମାତ୍ର ଦୈନନ୍ଦିନ ଖର୍ଚ୍ଚ ମେଣ୍ଟାଇବା ଲାଗି ଅନେକ ଛାତ୍ରଛାତ୍ରୀ କ୍ଯାମ୍ପସ ବାହାରେ ରେଷ୍ଟୁରାଣ୍ଟ, ଗ୍ୟାସ ଷ୍ଟେସନ, ରିଟେଲ ଷ୍ଟୋର ଆଦିରେ କାମ କରୁଛନ୍ତି । ବିପଦ ଆଶଙ୍କା ଥିବାରୁ କ୍ଯାମ୍ପସ ବାହାରେ ରହି କାମ କରୁଥିବା ଛାତ୍ରଛାତ୍ରୀ ଏହି ସବୁ ଚାକିରି ଛାଡୁଛନ୍ତି । ଏହି ସବୁ କାମ ଲାଗି ଘଣ୍ଟା ପିଛା ୭ ଡଲାର ମିଳୁଥିଲା । ବାହାରେ କାମ କଲେ ଷ୍ଟୁ଼ଡେଣ୍ଟ ଭିସା ରଦ୍ଦ ହେବାର ଆଶଙ୍କା ଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ପାର୍ଟଟାଇମ ଜବ ଛାଡିବା ଦେଖାଯାଉଛି ।