ସଂଚାର ବ୍ୟୁରୋ: ପୁଷ୍ପା-୨ରେ ପ୍ରିମିୟର ବେଳେ ଦଳାଚକଟାରେ ମହିଳାଙ୍କ ମୃତ୍ଯୁ ମାମଲା। ଚିକ୍କଡପଲ୍ଲୀ ଥାନାରେ ସୁପରଷ୍ଟାର ଅଲୁ ଅର୍ଜୁନଙ୍କୁ ଜେରା କରିଛି ପୋଲିସ। ଅଲୁ ତାଙ୍କ ଓକିଲ ଅଶୋକ ରେଡ୍ଡୀଙ୍କ ସହ ଥାନାରେ ହୋଇଥିଲେ ହାଜର। ତାଙ୍କୁ ଏସିପି ରମେଶ ଓ ସର୍କଲ ଇନ୍ସପେକ୍ଟର ରାଜୁ ଜେରା କରିଥିବା ସୂଚନା ମିଳିଛି। ହାଜର ହେବା ଲାଗି ନୋଟିସ ଜାରି କରିଥିଲା ହାଇଦ୍ରାବାଦ ପୋଲିସ। ଗତ ୪ ତାରିଖରେ ହାଇଦ୍ରାବାଦର ସନ୍ଧ୍ଯା ଥିଏଟରରେ ପ୍ରିମିୟର ବେଳେ ଘଟିଥିଲା ଅଘଟଣ। ଏଥିରେ ଜଣେ ୩୫ ବର୍ଷ ବୟସ୍କା ମହିଳାଙ୍କ ମୃତ୍ଯୁ ଘଟିଥିବାବେଳେ ତାଙ୍କର କୁନି ପୁଅ ହୋଇଥିଲା ଗୁରୁତର। ହଜାର ହଜାର ପ୍ରଶଂସକ ସୁପରଷ୍ଟାରଙ୍କ ନିକଟକୁ ଚାଲିଆସିବାରୁ ଏହି ଦଳାଚକଟା ଘଟିଥିଲା। ଏହି ଘଟଣାକୁ ନେଇ ଚିକ୍କଡାପଲ୍ଲୀ ଥାନାରେ ବିଏନଏସର ବିଭିନ୍ନ ଧାରା
ଅନୁସାରେ ଅଲୁ ଅର୍ଜୁନ, ସିକ୍ଯୁରିଟି ଟିମ ଓ ସନ୍ଧ୍ଯା ଥିଏଟର କର୍ତ୍ତୃପକ୍ଷଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଗତ ଡିସେମ୍ବର ୧୩ରେ ଅଲୁଙ୍କୁ ଗିରଫ କରିଥିଲା ପୋଲିସ। ପରଦିନ ସେ ଜାମିନରେ ଆସିଥିଲେ। ଗତ ୨୨ ତାରିଖରେ ମହିଳାଙ୍କ ପରିବାରକୁ ୧ କୋଟି ଟଙ୍କା କ୍ଷତିପୂରଣ ଦାବିରେ ଅଲୁଙ୍କ ଘରେ ଭଙ୍ଗାରୁଜା କରିଥିଲେ ଓସମାନିଆ ବିଶ୍ବବିଦ୍ୟାଳୟ ଛାତ୍ର। ଏହି ଘଟଣାର ୬ ଜଣ ହୋଇଥିଲେ ଗିରଫ। ସେପଟେ ପୋଲିସ ବାହିନୀ ପ୍ରତି ଅସମ୍ମାନ ଅଭିଯୋଗରେ କଂଗ୍ରେସ ନେତା ଥିନମାର ମଲ୍ଲାନା ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି । ଏନେଇ ମେଦିଆପଲ୍ଲୀ ଥାନାରେ ସେ ଅଭିଯୋଗ କରିଛନ୍ତି । ଏଫଆଇଆରରେ ଅଲୁ ଅର୍ଜୁନଙ୍କ ସହ ପୁଷ୍ପା-୨ର ନିର୍ଦ୍ଦେଶକ ସୁକୁମାରଙ୍କ ନାମ ରହିଛି । ଚଳଚ୍ଚିତ୍ରର ଏକ ନିର୍ଦ୍ଦିଷ୍ଟ ଦୃଶ୍ଯକୁ ନେଇ ମାମଲା ହୋଇଛି । ସେପଟେ ମୃତ ମହିଳାଙ୍କ ସ୍ବାମୀ ଭାସ୍କର କହିଛନ୍ତି ଅଲୁଙ୍କ ବିରୋଧରେ ମାମଲା ପ୍ରତ୍ଯାହାର ଲାଗି ସେ ପ୍ରସ୍ତୁତ ଅଛନ୍ତି ।