ଗଞ୍ଜାମ ଜିଲ୍ଲା ଗିଡ଼ିପାବାଲିଠାରେ ଘଟିଥିବା ଭୟଙ୍କର ଭୂସ୍ଖଳନ ପରେ ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ଚାଲିଥିବା ଅଭିଯାନକୁ ପ୍ରତିକୂଳ ପାଗ ଯୋଗୁଁ ଆଜି ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଅନ୍ୟପଟେ ନିଖୋଜଙ୍କ ପରିବାର ସଦସ୍ୟମାନେ ସେମାନଙ୍କର ଅନ୍ତିମ ସଂସ୍କାର କରି ଶେଷ ବିଦାୟ ଦେବା ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି।
ମଙ୍ଗଳବାର ଦିନ ଗଞ୍ଜାମ ଏବଂ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ କନ୍ଧମାଳ ଏସପି କିଲାପଙ୍ଗାସ୍ଥିତ ରିଲିଫ୍ କ୍ୟାମ୍ପରେ ପ୍ରଭାବିତ ୯ଟି ପରିବାରକୁ ଭେଟି ସେମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ପରିବାରର ସଦସ୍ୟମାନେ ପ୍ରକାଶ କରିଥିଲେ ଯେ, ସେମାନେ ନିଜ ପ୍ରିୟଜନଙ୍କୁ ହରାଇବା ପରେ ଏବେ ଶୋକରୁ ମୁକୁଳି ଆଗକୁ ବଢ଼ିବାକୁ ଚାହୁଁଛନ୍ତି।
ସେମାନେ ନିଜର ନିଖୋଜ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାର ନିଜ ରୀତିନୀତି ଅନୁଯାୟୀ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ପ୍ରଶାସନ ଏହି ରୀତିନୀତି ପାଳନ ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଆଶ୍ୱାସନା ଦେଇଛି।
ଭୂସ୍ଖଳନ ସ୍ଥଳରେ ଉଦ୍ଧାର କାର୍ଯ୍ୟରେ ଅନେକ ବଡ଼ ଜଟିଳତା ଉପୁଜିଛି। ଘଟଣାସ୍ଥଳରେ ପ୍ରାୟ ୩୦ ଫୁଟ୍ର ପଥର ଓ ମାଟି କୁଢ ଜମି ରହିଛି। ଗତ କିଛି ଦିନ ମଧ୍ୟରେ ସେଠାରେ ତିନି ଥର ଭୂସ୍ଖଳନ ହୋଇଥିବାରୁ ଖନନ ପ୍ରକ୍ରିୟା ଅତ୍ୟନ୍ତ ବିପଦଜନକ ହୋଇପଡ଼ିଛି। ନିଖୋଜଙ୍କୁ ଖୋଜିବା ପାଇଁ NDRF, IIT ବିଶେଷଜ୍ଞ, ଡଗ୍ ସ୍କ୍ୱାଡ୍ ଏବଂ ରେଳବାଇ ଟିମକୁ ନିୟୋଜିତ କରାଯାଇଥିଲା। ଏପରିକି ପଥର ହଟାଇବା ପାଇଁ ନିୟନ୍ତ୍ରିତ ବିସ୍ଫୋରଣ (Controlled blasting) ମଧ୍ୟ କରାଯାଇଥିଲା।
ତେବେ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ଅନୁଯାୟୀ, ଅଧିକ ବିସ୍ଫୋରଣ କଲେ ପୁଣି ଥର ଭୂସ୍ଖଳନ ହେବାର ଆଶଙ୍କା ରହିଛି, ଯାହା ଉଦ୍ଧାରକାରୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିପାରେ। ପାଗରେ ସୁଧାର ଆସିଲେ ପ୍ରଶାସନ ପକ୍ଷରୁ ନିଖୋଜଙ୍କୁ ଖୋଜିବା ପାଇଁ ଆଉ ଏକ ଶେଷ ଚେଷ୍ଟା କରାଯିବ ଏବଂ ତା’ପରେ ଯାଇ ବିଧିବଦ୍ଧ ଭାବେ ଅପରେସନ ଶେଷ ହେବ।



