ଭୀଷଣ ବାତ୍ୟାରେ ପରିଣତ ହୋଇ ‘ମୁରାସୁ’ ଆନ୍ଧ୍ରପ୍ରଦେଶ ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିପାରେ । ଏହାର ପ୍ରଭାବରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଓ ପବନର ଆଶଙ୍କା ଦେଖାଦେଇଛି। ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ରାଜ୍ୟର ଅନେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ଏବଂ ପ୍ରବଳ ବେଗରେ ପବନ ବହିପାରେ।
ବର୍ଷା ସହିତ ଘଡ଼ଘଡ଼ି ଏବଂ ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରାଯାଇଛି। ବିଶେଷ କରି ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଏହାର ପ୍ରଭାବ ଅଧିକ ରହିପାରେ। ସେହିପରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, କଳାହାଣ୍ଧି, କନ୍ଧମାଳ, ନବରଙ୍ଗପୁର ଏବଂ ନୟାଗଡ଼ ଜିଲ୍ଲାରେ ମଧ୍ୟ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ୩୦ ରୁ ୪୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ରହିଛି।
ଆସନ୍ତା ନଭେମ୍ବର ୩ ଏବଂ ୪ ତାରିଖ ପାଇଁ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପବନର ବେଗ ଘଣ୍ଟା ପ୍ରତି ୫୦ ରୁ ୬୦ କିଲୋମିଟର ରହିବା ସହ ସର୍ବାଧିକ ୭୦ କିଲୋମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।
ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ଯେ ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ବା ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଏଥିସହିତ ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ହେବାର ଆଶଙ୍କା ଥିବାରୁ ପ୍ରଶାସନ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଛି। ପାଣିପାଗ ବିଭାଗ ସ୍ଥିତି ଉପରେ ନଜର ରଖିଛି ଏବଂ ସ୍ଥାନୀୟ ଲୋକଙ୍କୁ ସୁରକ୍ଷିତ ରହିବାକୁ ପରାମର୍ଶ ଦେଇଛି।



