ସଂଚାର ବ୍ୟୁରୋ: ଦିନକୁ ଦିନ ବଢ଼ିବାରେ ଲାଗିଛି ଯାତ୍ରା ମାଲିକ ଓ କଳାକାର ବିବାଦ । ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା ତୁଳସୀ ଗଣନାଟ୍ୟ ମାଲିକ ଅନନ୍ତ ନାରାୟଣ ଧଳଙ୍କ ବିରୁଦ୍ଧରେ ଆଣିଥିଲେ ମାଡମରା ଅଭିଯୋଗ । ଏହାକୁ ନେଇ ଯାତ୍ରା ଜଗତରେ ବିବାଦ ବଢି ବଢି ଚାଲିଛି । ନରିଙ୍କ ପରେ ତାଙ୍କ ପତ୍ନୀ ଓ ଝିଅ ସୋସିଆଲ ମିଡ଼ିଆରେ ତୁଳସୀ ଗଣନାଟ୍ୟ ମାଲିକଙ୍କ ବିରୁଦ୍ଧରେ ବର୍ଷିଛନ୍ତି । ପ୍ରଥମେ ନରି ପଣ୍ଡାଙ୍କୁ ତୁଳସୀ ଗଣନାଟ୍ୟର ମାଲିକ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ ଓ ଝିଅ । ଜଣେ କଳାକାର ପରିବାର ଛାଡି ବର୍ଷ ତମାମ ରାତି ଅନିଦ୍ରା ହୋଇ କାମ କରୁଛନ୍ତି । ତାଙ୍କ ପାଇଁ ଟଙ୍କା ନୁହଁ ବରଂ ସମ୍ମାନ ବଡ ବୋଲି କହିଛନ୍ତି ଉଭୟେ । ଏହାକୁ ନେଇ ପୁଣି ପ୍ରତିକ୍ରିୟା ରଖିଛନ୍ତି ତୁଳସୀ ଗଣନାଟ୍ୟର ମାଲିକ। ପୂର୍ବରୁ ନରି ପଣ୍ଡା ଯାତ୍ରା ମାଲିକଙ୍କୁ ବାପା ମା କହୁଥିବା ବେଳେ ଏବେ ଯେଉଁ ବ୍ୟବହାର କରୁଛନ୍ତି ତାକୁ ଦର୍ଶକ ଦେଖୁଛନ୍ତି । କଳାକାର ମାନଙ୍କ ଏଭଳି ବ୍ୟବହାର ଆଗାମୀ ଦିନରେ ଯାତ୍ରା ବନ୍ଦ ହେଇଯିବ। ନରି ପଣ୍ଡାଙ୍କ ବିରୁଦ୍ଧରେ ସେ ଆଇନର ଆଶ୍ରୟ ନେବେ। ପୋଲିସ ମଧ୍ୟ ସିସିଟିଭି ଯାଞ୍ଚ କରିଛି । ମାଡ ମରଜାଇ ଥିବା ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ । ଟଙ୍କା ନେଇଛନ୍ତି କାମ କରିବା ପାଇଁ ସେ କାମ କରନ୍ତୁ ନ ହେଲେ ସେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳ ।