ଭୁବନେଶ୍ୱର : ପାଣିପାଗ ବିଭାଗର ଆକଳନ ଏବେ ଚାଷୀଙ୍କ ମନରେ ଛନକା ଭରିଛି। କାରଣ ଆଗାମୀ ୨ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ପୁଣି ହେବ ଅଦିନିଆ ବର୍ଷା।
- ପୁରୁଣା ବର୍ଷରେ ଭିଜାଇବ, ନୂଆବର୍ଷରେ ଥରାଇବ
- ପଶ୍ଚିମାଝଡ ପ୍ରଭାବରେ ପଶ୍ଚିମରେ ବର୍ଷା
ଅଦିନିଆ ଲଗାଣ ବର୍ଷା ପରେ ଏବେ ପାଗରେ ଆସିଛି ପରିବର୍ତ୍ତନ। କିନ୍ତୁ ଏଭଳି ପାଗ ବେଶି ସମୟ ପାଇଁ ରହିବନି। ପୁଣିଥରେ ଓଡ଼ିଶାକୁ ଭିଜାଇବ ଅଦିନିଆ ବର୍ଷା। ପଶ୍ଚିମାଝଡ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ।
- ଆସନ୍ତା ୨ ଦିନ ରହିଛି ବର୍ଷା ସମ୍ଭାବନା
- ୨୮ରେ ବରଗଡ, ବଲାଙ୍ଗୀର, ନୂଆପଡା, ଝାରସୁଗୁଡା, ସମ୍ବଲପୁର ଓ ସୋନପୁର ଜିଲ୍ଲାରେ ବର୍ଷା
- ୨୯ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେଉଁଝର, କନ୍ଧମାଳ, କଳାହାଣ୍ଡିରେ ବର୍ଷା
- ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା
- ବର୍ଷା ସମ୍ଭାବନା ରହିଥିଲେ ମଧ୍ୟ ଏହି ସମୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବନି। ତେବେ ୨ ଦିନର ବର୍ଷା ଭିତରେ ଘନ କୁହୁଡି ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। କନ୍ଧମାଳ,କଳାହାଣ୍ଡି, ବଲାଙ୍ଗୀର ଓ ନବରଙ୍ଗପୁରରେ ଘନ କୁହୁଡି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ତେବେ ୩୦ ତାରିଖରୁ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିବ। ଡିସେମ୍ବର ୩୦ରୁ ଜାନୁଆରୀ ୨ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ରହିବ । ରାତିରେ ପାରଦ ଖସିବା ସହ ପ୍ରଥମେ ଆଭ୍ୟନ୍ତରୀଣ ଓଡ଼ିଶା ଏବଂ ପରେ ରାଜ୍ୟର ଅନ୍ୟ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ ହେବ।
- ବର୍ଷାକୁ ନେଇ ପାଣିପାଗ ବିଭାଗ କରିଥିବା ପୂର୍ବ ଆକଳନ ଚାଷୀଙ୍କୁ ଅକଳରେ ପକାଇଥିଲା। କାଁ ଭାଁ ବର୍ଷାର ସୂଚନା ଦେଇଥିବା ବେଳେ ୩ ଦିନ ଧରି ଲଗାଣ ବର୍ଷା ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି। ଏବେ ପ୍ରଶ୍ନ ଉଠୁଛି, ଅତ୍ୟାଧୁନିକ ଜ୍ଞାନକୌଶଳ ଥିଲେ ମଧ୍ୟ ଲୋକଙ୍କୁ ସଚେତନ କରିବାରେ ବିଫଳ ହେଉଛି କି ପାଣିପାଗ ବିଭାଗ?