ସଂଚାର ବ୍ୟୁରୋ: ସାରା ଦେଶରେ ଚର୍ଚ୍ଚାରେ ଓଡ଼ିଶାର ଜେଲ୍ ସଂସ୍କାର । କଏଦୀଙ୍କ ସଜା କମ କରି ସାରା ଦେଶରେ ସୃଷ୍ଟି କରିଛି ସ୍ୱତନ୍ତ୍ର ପରିଚୟ । କାରାଗାର ନୁହେଁ ବରଂ ସୁଧାରଗୃହ କରିବାକୁ ପ୍ରୟାସ । ସାରା ରାଜ୍ୟର ସମସ୍ତ ଜେଲରେ ପାଳିତ ହେଉଛି ପ୍ରତିଷ୍ଠା ଦିବସ । ଏହାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନେଇଛି ଜେଲ୍ ବିଭାଗ । ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲରେ ଥିବା ୪ ଶହରୁ ଅଧିକ କଏଦୀଙ୍କ ସଜା କମ୍ ହୋଇଛି । ଜେଲ୍ରେ ଉତ୍ତମ ଆଚରଣ ପ୍ରଦର୍ଶନ କରିଆସୁଥିବା କଏଦୀମାନଙ୍କ ସଜା କୋହଳ କରାଯାଇଛି ।
ଫଳରେ ସେମାନେ ଧାର୍ଯ୍ୟ ଜେଲ୍ଦଣ୍ଡ ପୂର୍ବରୁ ମୁକ୍ତିର ଆନନ୍ଦ ପାଇବେ । ମୁକ୍ତି ପାଇବାକୁ ଯାଉଥିବା କଏଦୀମାନଙ୍କ ଭିତରେ କିଛି କଏଦୀ ଆଜୀବନ ସଜା ଭୋଗୁଥିବା ବେଳେ ଆଉ କିଛି ୧ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ଜେଲ୍ ମାନୁଆଲ୍ ରୁଲ୍ ଅନୁଯାୟୀ କଏଦୀମାନଙ୍କ ସଜା କୋହଳ କରିବାର କ୍ଷମତା ଜେଲ୍ ଡିଜିଙ୍କର ରହିଛି । କଏଦୀଙ୍କ ଉତ୍ତମ ବ୍ୟବହାର ପ୍ରଦର୍ଶନ କ୍ଷେତ୍ରରେ ଡିଜି ତାଙ୍କ କ୍ଷମତା ପ୍ରୟୋଗ କରି ୬୦ଦିନର ସଜା କମାଇ ପାରିବେ । ସେହିପରି ଜେଲ୍ ଅଧୀକ୍ଷକ ୭ ଦିନର କାରାଦଣ୍ଡ କୋହଳ କରିପାରିବେ । ଏଥିପାଇଁ କଏଦୀଙ୍କର ବର୍ଷକର ଆଚରଣ ଉପରେ ନୀରିକ୍ଷଣ କରାଯାଇଥିଲା ।
୪୦୦ କଏଦୀଙ୍କ ପାଇଁ ସଜା କୋହଳ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସୂଚନା ଦେଇଛନ୍ତି ଜେଲ୍ ଡିଜି ଅରୁଣ ରାୟ । ୨୦୨୫ ଏପ୍ରିଲ୍ରେ ଦ୍ବିତୀୟ ପର୍ଯ୍ୟାୟରେ ଆଉ କିଛି କଏଦୀଙ୍କୁ ଏହି ସୁବିଧା ମିଳିବ । ଏହାଦ୍ବାରା କଏଦୀଙ୍କ ମନୋଭାବ ପରିବର୍ତ୍ତନ ହେବା ସହ ସେମାନେ ମୁଖ୍ୟସ୍ରୋତକୁ ଫେରିପାରିବେ ।
କାରାଗାରକୁ ସୁଧାରଗୃହ ଭାବେ ଗଢିତୋଳିବା ପାଇଁ ଅନ୍ତେବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଛି । ସେମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଭୋକେସନାଲ ଟ୍ରେନିଂ ମିଳୁଛି । ଝାରପଡା ସ୍ଥିତ ଭୁବନେଶ୍ୱର ସ୍ପେଶାଲ ଜେଲରେ ବର୍ତ୍ତମାନ ଅନେକ ଗଠନମୂଳକ କାମ ଚାଲିଛି । ସାରା ଓଡ଼ିଶାରେ ଅନ୍ୟ ଜିଲ୍ଲା ଜେଲ୍ ଓ ସବ ଜେଲ ପାଇଁ ଆଦର୍ଶ ପାଲଟିଛି ଭୁବନେଶ୍ୱର ସ୍ପେଶାଲ ଜେଲ୍ ।