ସୃଷ୍ଟି ହେଲା ସ୍ପଷ୍ଟଚିହ୍ନିତ ଲଘୁଚାପ । ଆଗାମୀ ୨୪ ଘଣ୍ଟାରେ ଅବପାତ ସମ୍ଭାବନା ! ସକ୍ରିୟ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଦକ୍ଷିଣ ବାଂଲାଦେଶ ପାର୍ଶ୍ଵବର୍ତ୍ତୀ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟାକା ଅଞ୍ଚଳରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରର ରୂପନେଇଛି l ଯୋଡ଼ା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ପୂର୍ବ ଭାଗରେ ଉତ୍ତର ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ବାଂଲାଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତର ଓଡିଶା ଉପକୂଳରେ ଗତକାଲି ଏକ ଲଘୁଚାପ ସୃଷ୍ଟି ହୋଇଛି ।
ସେହିପରି ଉତ୍ତର ପଶ୍ଚିମ ମଧ୍ୟପ୍ରଦେଶ ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ୍ ଆଲର୍ଟ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର ।
ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ଏହି ସବୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅନୁଗୁଳ, ଢେଙ୍କାନାଳ, କଟକ, ନୟାଗଡ଼, ବୌଦ୍ଧ, ସୋନପୁର, ଦେବଗଡ଼, ବଲାଙ୍ଗୀର, କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି।
୧୫ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼ ଓ ସମ୍ବଲପୁରରେ ଭାରି ବର୍ଷା ହୋଇପାରେ। ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୧୬ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରରେ ଅଧିକ ବର୍ଷା ସମ୍ଭାବନା ଅଛି। ୧୭, ୧୮ ଓ ୧୯ ତାରିଖରେ ମଧ୍ୟ କିଛି ସ୍ଥାନରେ ଅଧିକ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ୧୩ରୁ ୧୯ ତାରିଖ ଯାଏ ରାଜ୍ୟର ବିକ୍ଷିପ୍ତ ଅଞ୍ଚଳରେ ପ୍ରବଳ ବର୍ଷା ହେବ ବୋଲି ଆଇଏମ୍ଡି ଆକଳନ କରିଛି। ରବିବାର ପାରାଦୀପରେ ୪୧ମିମି ବର୍ଷା ହୋଇଛି। ସୋନପୁରରେ ୨୪.୪ ମିମି ବର୍ଷା ହୋଇଛି। ଟିଟିଲାଗଡ଼ ଓ ବାଲେଶ୍ୱରରେ ୧୫.୩, ଭଦ୍ରକରେ ୮ମିମି ବର୍ଷା ରେକର୍ଡ ହୋଇଛି।
