ସଂଚାର ବ୍ୟୁରୋ: ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ରେ। ଆଣ୍ଡାମାନ ସାଗରରେ ୧୯୯୯ ଅକ୍ଟୋବର ୨୫ ରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଅକ୍ଟୋବର ୨୯ ତାରିଖରେ ଜଗତସିଂହପୁର ଜିଲ୍ଲା ଏରସମାଠାରେ ସ୍ଥଳଭାଗରେ ମାଡ଼ ହୋଇଥିଲା। ଏହି ମହାବାତ୍ୟାକୁ ଆଜି ୨୫ ବର୍ଷ ପୂରିଛି। ଏହି ବାତ୍ୟାର ଅନୁଭୂତିକୁ ଅଭିଜ୍ଞତାରେ ପରିଣତ କରି ଗତ ୨୫ ବର୍ଷ ମଧ୍ୟରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ନିଜର ନୂଆ ଓ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିସାରିଛି। ଯାହାକୁ ମିଳିଛି ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ସ୍ୱୀକୃତି।
୧୯୯୯ ମହାବାତ୍ୟା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକରେ ମାଡ଼ ହୋଇଥିଲା । ଏହା ପ୍ରଭାବରେ ଘଣ୍ଟାକୁ ୨୬୦ରୁ ୨୭୦ କିଲୋମିଟର ବେଗରେ ପବନ ହୋଇଥିଲା । ଜଗତସିଂହପୁର ସହ ପୂରା ଉପକୂଳକୁ ଏହା ଛାରଖାର କରି ଦେଇଥିଲା । ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ସାଢ଼େ ୪ ଲକ୍ଷ ଗୃହପାଳିତ ପଶୁ ବି ମରିଥିଲେ । ଉପକୂଳ ଓଡ଼ିଶାର ୭୫% ଦ୍ରୁମ ମାଟିରେ ଶୋଇଥିଲା । ମହାବାତ୍ୟା ପରେ ଓଡ଼ିଶାର ଚିତ୍ର ବଦଳି ଯାଇଥିଲା । ସମ୍ପୂର୍ଣ୍ଣ ଉପକୂଳ ଅଞ୍ଚଳ ଧ୍ୱଂସସ୍ତୂପରେ ପରିଣତ ହୋଇଥିଲା । ସମୁଦ୍ରରୁ ଜନବସତି ଅଞ୍ଚଳକୁ ୨୦ ଫୁଟର ଜୁଆର ପାଣି ମାଡ଼ି ଆସିଥିଲା । ଏଭଳି ଧ୍ୱଂସଳୀଳା ରାଜ୍ୟକୁ ଅନେକ ବର୍ଷ ପଛକୁ ନେଇ ଯାଇଥିଲା ।
ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଭାଙ୍ଗିଥିଲା ସତ, କିନ୍ତୁ ଅନେକ ସରକାରୀ ଦୋଷ ଦୁର୍ବଳତାକୁ ସାମ୍ନାକୁ ଆଣିଥିଲା । ଏଥିରୁ ଶିଖିବା ପରେ ସରକାର ତତ୍କାଳ ବିପର୍ଯ୍ୟୟ ପରିଚାଳନା ନୀତି ଆଣିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ଗଢ଼ା ହେଲା । ଗାଁ, ପଞ୍ଚାୟତ, ବ୍ଲକ୍ ଓ ଜିଲ୍ଲାସ୍ତରରେ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଢ଼ା ହେଲା । ଏହା ପରେ ଜନ୍ମ ନେଇଥିଲା ଓସ୍ଡମା(ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ଏବଂ ଓଡ୍ରାଫ୍ ।