ରାଜ୍ୟରେ ପୁଣି ବଢ଼ିବ ବର୍ଷା ପ୍ରକୋପ। ନିୟମିତ ବର୍ଷା ଜାରି ରହିବ । ଆସନ୍ତା ଦୁଇଦିନ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ। ପଶ୍ଚିମରେ ବି ପ୍ରବଳ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ ଦେଖାଇଛି।
ଭୁବନେଶ୍ୱରସ୍ଥିତ ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ପାର୍ଶ୍ଵବର୍ତ୍ତୀ ଆନ୍ଧ୍ର ଉପକୂଳରେ ଏକ ଘୂର୍ଣ୍ଣିବଳୟ ରହିଛି। ଅନୁମାନ କରାଯାଉଛି,ବୁଧବାରଠାରୁ ବର୍ଷା ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ। ମୟୂରଭଞ୍ଜରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ସୁନ୍ଦରଗଡ଼,ସମ୍ବଲପୁର,କେନ୍ଦୁଝର,ନୂଆପଡ଼ା,କଳାହାଣ୍ଡି,ନୂଆପଡ଼ା,କନ୍ଧମାଳ,ନବରଙ୍ଗପୁର,ରାୟଗଡ଼ା,କୋରାପୁଟ,ମାଲକାନଗିରି,ଗଜପତି,ଗଞ୍ଜାମ,ନୟାଗଡ଼ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଏହାବାଦ୍ ବି କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ୬ ତାରିଖ (ଗୁରୁବାର) ବି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି । କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ। ୧୦ ତାରିଖ ପର୍ଯ୍ୟନ୍ତଏଭଳି ବର୍ଷା ସମ୍ଭାବନା ଥିବାବେଳେ ତା‘ପରେ ବି ବିଶେଷ ପରିବର୍ତ୍ତନ ସମ୍ଭାବନା ନଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି
ଅନ୍ୟପଟେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ଵବିଦ୍ୟାଳୟ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ଆକଳନ ହେଲା,ବର୍ତ୍ତମାନ ୨-୩ ଦିନ ମୌସୁମୀ ପ୍ରବାହରେ ବର୍ଷା ରହିବ। ୭ ତାରିଖବେଳକୁ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହା ଘନୀଭୂତ ହୋଇ ୯-୧୦ ତାରିଖବେଳକୁ ଲଘୁଚାପ ରୂପ ନେବା ସମ୍ଭାବନା ଅଛି।
ଏହା ପ୍ରଭାବରେ ୭-୮ ତାରିଖରୁ ଓଡ଼ିଶାରେ ବର୍ଷା ବଢ଼ିବ। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୧୧/୧୨ ତାରିଖ ଯାଏଁ ଏସବୁ ଅଞ୍ଚଳରେ ବର୍ଷା ହେବ । ତା‘ପରେ କେନ୍ଦ୍ରୀୟ ଓଡ଼ିଶା ଏବଂ ପଶ୍ଚିମରେ ବର୍ଷା ବଢ଼ିପାରେ। ପୂର୍ବ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହୋଇଥିବାବେଳେ ଏଥର ଦକ୍ଷିଣରେ ଅଧିକ ବର୍ଷା ହେବ। ୧୩ ତାରିଖ ଯାଏଁ ଏହା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିପାରେ। ଏପରିକି ୧୪/୧୫ ତାରିଖ ପର୍ଯ୍ୟନ୍ତ ବର୍ଷା ହୋଇପାରେ।

