ସଂଚାର ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ନେଇ ତେଜିବାରେ ଲାଗିଛି ବିବାଦ। ପୁଣି ଆପ୍ ସରକାର ଓ ଏଲଜି ମୁହାଁମୁହିଁ। ଅରବିନ୍ଦ କେଜରିୱାଲ ମୁଖ୍ୟମନ୍ତ୍ରୀ ଥିବା ବେଳେ ରହୁଥିବା ୬, ଫ୍ଲାଗଷ୍ଟାଫ୍ ରୋଡ୍, ସିଭିଲ ଲାଇନ ର ବଙ୍ଗଳାରେ ରହିବାକୁ ଚାହୁଁଥିଲେ ନୂଆ ମୁଖ୍ୟମନ୍ତ୍ରୀ ଅତିଶି। କିନ୍ତୁ ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି, ତାଙ୍କ ସାମଗ୍ରୀକୁ ବାହାରେ ଫୋପାଡ଼ି ଦେଇ ସେହି ବାସଭବନକୁ ସିଲ୍ କରିଛି ପିଡବ୍ଲୁଡି ଓ ନିଜ ଦଖଲକୁ ସେହି ଘରକୁ ନେଇଛି। ପିଡବ୍ଲୁଡି ପକ୍ଷରୁ କୁହାଯାଇଛି, ଏହି ବିଲଡିଂର ମରାମତି କରାଯିବ ଏବଂ ଆଇନ ଅନୁସାରେ ଘର ଆଲଟ୍ କରାଯିବ। ସେପଟେ ଆପ୍ ପକ୍ଷରୁ ଅଭିଯୋଗ କରାଯାଇଛି-ଇତିହାସରେ ପ୍ରଥମ ଥର ପାଇଁ କୌଣସି ମୁଖ୍ୟମନ୍ତ୍ରୀଙ୍କ ଘରରୁ ତାଙ୍କ ଆସବାବପତ୍ର ଫିଙ୍ଗି ଦିଆଯାଇଛି। ବିଜେପିର ଇସାରାରେ ଏଲଜି ଏପରି କରୁଥିବା ଓ ସେହି ବଙ୍ଗଳାକୁ ଜଣେ ବିଜେପି ନେତାଙ୍କୁ ଦେବାକୁ ଷଡ଼ଯନ୍ତ୍ର କରାଯାଇଛି। ବିଜେପି ଅଭିଯୋଗ କରିଥିଲା, କେଜରିୱାଲ ଘର ଛାଡ଼ିବା ପରେ ଆଇନ ଅନୁସାରେ ଦିଲ୍ଲୀ ପ୍ରଶାସନକୁ ସେହି ଘର ଫେରସ୍ତ କରିନଥିଲେ।