ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହେଉଥିଲେ। ତାଙ୍କୁ ୭୩ ବର୍ଷ ବୟସ ହୋଇଥିଲା।
ଉସ୍ତାଦ ଜାକିର ହୁସେନ ୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ ।
ହୁସେନଙ୍କ ବନ୍ଧୁ ତଥା ବଂଶୀବାଦକ ରାକେଶ ଚୌରାସିଆ ଗଣମାଧ୍ୟମକୁ କହିଛନ୍ତି ଯେ ଜାକିର ହୁସେନଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଗତ ସପ୍ତାହରେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଗତ ସପ୍ତାହରେ ହୃଦ୍ ଜନିତ ସମସ୍ୟା ପାଇଁ ତାଙ୍କୁ ସାନ୍ ଫ୍ରାନ୍ସିସ୍କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ପରଲୋକ ହୋଇଥିଲା ।