ଭୁବନେଶ୍ୱର: ଦିନ ହେଲାଣି ଅସ୍ତବ୍ୟସ୍ତ କରୁଥିଲା ଶୀତ । ପୂରା ରାଜ୍ୟ ହାଡ଼ଭଙ୍ଗା ଶୀତରେ ଥରୁଥିଲା । ଅନେକ ସହର ୧୦ ଡିଗ୍ରୀ ସେଲସିୟସ୍ ତଳକୁ ଖସି ଆସିଥିଲା । ହେଲେ ମଙ୍ଗଳବାର ରାତିରୁ ଏଭଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଶୀତ କମିବ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିଯିବ । ପାଣିପାଗ ବିଶେଷଜ୍ଞ ଏଭଳି ଆକଳନ କରିଛନ୍ତି ।
ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଲହରୀ ବହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିଲା । ସୋମବାର ସକାଳୁ ଅସମ୍ଭାଳ ଶୀତ ଅନୁଭୂତ ହୋଇଥିଲା । ଜି ଉଦୟଗିରିରେ ପାରଦ ୫ ଡିଗ୍ରୀ ତଳକୁ ଖସିଥିଲା । ଏଠାରେ ପାରଦ ୪.୮ ଡିଗ୍ରୀ ରେକର୍ଡ ହୋଇଛି । ୧୨ ସହରରେ ରାତି ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଛି । ରାଉରକେଲାରେ ସର୍ବନିମ୍ନ ୫.୭ ଡିଗ୍ରୀ ଓ ଫୁଲବାଣୀରେ ୭ଡିଗ୍ରୀ ରେକର୍ଡ ହୋଇଛି ।
ମଙ୍ଗଳବାର ସକାଳ ଯାଏ ଶୀତ ଜାରି ରହିବ । କିନ୍ତୁ ରାତିରେ ତାପମାତ୍ରା କ୍ରମଶଃ ବଢ଼ିଯିବ । ରାଜ୍ୟର ପ୍ରାୟ ସମସ୍ତ ଅଞ୍ଚଳରେ ରାତି ତାପମାତ୍ରା ବଢ଼ିବ । ୧୭ରୁ ୨୦ ତାରିଖ ଯାଏ ରାତି ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିଯିବ ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡା. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ମଙ୍ଗଳବାର ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିଯିବ । ୧୮ ତାରିଖ ରାତିରେ ଏ ସବୁ ସ୍ଥାନରେ ଆଉ ୩ ଡିଗ୍ରୀ ବଢ଼ିବ । ୨୦ ତାରିଖ ଯାଏ ତାପମାତ୍ରା ପ୍ରାୟ ୬ ଡିଗ୍ରୀ ବଢ଼ିବ ।
ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ମଙ୍ଗଳବାର ରାତିରୁ ତାପମାତ୍ରା ୨ ଡିଗ୍ରୀ ବଢ଼ିବ । ୧୯ ତାରିଖ ରାତିରେ ଆଉ ୨ ଡିଗ୍ରୀ ବଢ଼ିବ । ୨୦ ତାରିଖ ରାତିରେ ଆଉ ୧ ଡିଗ୍ରୀ ବଢ଼ିପାରେ । ସେହିଭଳି ଉତ୍ତର ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ୧୭ ତାରିଖରେ ତାପମାତ୍ରା ୨ ଡିଗ୍ରୀ
ବଢ଼ିପାରେ । ୨୦ ତାରିଖରେ ଆଉ ୧ ଡିଗ୍ରୀ ବଢ଼ିବା ସମ୍ଭାବନା ଅଛି ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି ।
୨୧ତାରିଖରୁ ଶୀତ ପୁଣି ଲେଉଟିବ ବୋଲି ସେ କହିଛନ୍ତି । ରାଜ୍ୟର ପ୍ରାୟ ସବୁ ସ୍ଥାନରେ ରାତି ତାପମାତ୍ରା ୩ ଡିଗ୍ରୀ କମିବ । ଫଳରେ ପୁଣି ଶୀତ ଅନୁଭୂତ ହେବ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏଥିପାଇଁ ୧୯ ଓ ୨୦ ତାରିଖରେ ପାଗ ମେଘୁଆ ରହିବ । କିଛି ସ୍ଥାନରେ ହାଲୁକା ଓ ବୁନ୍ଦା ବର୍ଷା ହୋଇପାରେ ବୋଲି ସେ ପୂର୍ବାନୁମାନ କରିଛନ୍ତି ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ଡା. ମନୋରମା ମହାନ୍ତି କହିଛନ୍ତି, ମଙ୍ଗଳବାର ରାତିରୁ ତାପମାତ୍ରା କ୍ରମଶଃ ବଢ଼ିବ । ଆସନ୍ତା ୪ ଦିନରେ ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ ବଢ଼ିବ । ମଙ୍ଗଳବାର ଗଞ୍ଜାମ ଓ ଗଜପତିରେ ହାଲୁକା ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ