ସଂଚାର ବ୍ୟୁରୋ: ମୁଁ ଭଲ ଡ୍ରାମା କରୁଛି, ମୁଁ ନବୀନଙ୍କ ପ୍ରିୟ ହେବି । ଆସନ୍ତା ନିର୍ବାଚନରେ ମୋର ପତିଆରା ରହିବ । ତୁମେ ଯାଜପୁରିଆ ହେଲେ ମୁଁ ବି ଯାଜପୁରିଆ । ତେବେ ଏମିତି ଏକ ଚର୍ଚ୍ଚା ଏବେ ସୋସିଆଲ ମିଡିଆରେ ଜୋରଦାର ଦେଖିବାକୁ ମିଳୁଛି । ଛାତ୍ରୀଙ୍କ ମୃତ୍ୟୁ ଘଟଣାକୁ ନେଇ ବିରୋଧୀ ବିଜେଡି ପକ୍ଷରୁ ପ୍ରତିବାଦ କରାଯାଇଥିବାବେଳେ ପୋଲିସର ପାଣିମାଡ଼ ଏବଂ ରବର ଗୁଳି ମାଡ଼ରେ ବିଜେଡିର କିଛି କର୍ମୀ ଏବଂ ନେତା ଆହତ ହୋଇଛନ୍ତି । ଯେଉଁଥିରେ ଆଗରେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ, ପ୍ରୀତିରଞ୍ଜନ ଘଡ଼ାଇ ଏବଂ ସୁଲତା ଦେଓ । ଏହି ତିନି ଜଣ ଚର୍ଚ୍ଚିତ ନେତା ଆହତ ହୋଇଥିବାବେଳେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ମେଡିକାଲ ଭିତରର ଫଟୋ ପକାଇ ବିଜେଡି ପକ୍ଷରୁ ସିମ୍ଫାଥି ସାଉଁଟା ଯାଉଛି । ତେବେ ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କ ଆହତ ହେବାର ଫଟୋ ଏବଂ ଭିଡିଓକୁ ନେଇ ଟ୍ରୋଲ କରିବା ଆରମ୍ଭ ହୋଇଯାଇଛି । ତେବେ ତିନି ଜଣ ଆହତ ହୋଇଥିବା ନେତା ହେଉଛନ୍ତି ଯାଜପୁରର । ଯାହାକୁ ନେଇ କୁହାଯାଉଛି କି, ଏମାନଙ୍କ ଭିତରେ ନାଟକ ଆରମ୍ଭ ହୋଇଛି । ଆଉ ବବି ଏବଂ ଡାନିଙ୍କ ଭିତରେ ଥିବା ସମ୍ପର୍କ ସମସ୍ତଙ୍କୁ ତ ବେଶ ଭଲଭାବେ ଜଣା । ଯାଜପୁର ଜିଲ୍ଲାରେ ଉଭୟ ନିଜର ପତିଆରା ଜାହିର କରିବା ପାଇଁ ପ୍ରତିଯୋଗିତା ଲଗାଇଥିବାବେଳେ ଆଜି ରାଜ୍ୟବାସୀଙ୍କ ଆଗରେ ମଧ୍ୟ ନିଜକୁ ଆଗ ଧାଡ଼ିର ବୋଲି ଦେଖାଇବାକୁ ଚେଷ୍ଟା କରିଛନ୍ତି ।
ସେପଟେ ରାଜନୈତିକ ମହଲରେ ଆଉ ଏକ ଚର୍ଚ୍ଚା ହେଉଛି କି, ରାଲି ପୂର୍ବରୁ କୁଆଡ଼େ ଏମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ଆଉ ଯେଉଁ କାରଣରୁ ଆଜି ଏଭଳି ରୋଚକ ଦୃଶ୍ୟ ଦେଖିବାକୁ ମିଳିଛି । ସେପଟେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ୍ ରହିଥିବା ସୁଲତା ଦେଓ ମଧ୍ୟ ପଛରେ ପଡ଼ିନାହାନ୍ତି । ସେ ମଧ୍ୟ ଆହତ ହୋଇଥିବାବେଳେ ନାଟକ କରୁଛନ୍ତି ବୋଲି ଲୋକେ ଗଣମାଧ୍ୟମରେ ପ୍ରସାରିତ ଖବରରେ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । କହି ରଖୁଛୁ କି, ବାଲେଶ୍ବର ଏଫ.ଏମ୍. କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ରୀଙ୍କ ମୃତ୍ୟୁ ପରେ ଏହାକୁ ନେଇ ସାରା ରାଜ୍ୟରେ ଆରମ୍ଭ ହୋଇଛି ହାଇଭୋଲଟେଜ ପଲିଟିକ୍ସ । ବିରୋଧୀମାନେ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିବାକୁ ଯାଇ ଆଜି ଲୋକସେବା ଭବନ ଘେରାଉ କରୁଥିଲେ । ସେହି ସମୟରେ ପୋଲିସର ପାଣିମାଡ଼ ଏବଂ ରବର ବୁଲେଟ ମାଡ଼ରେ ଆହତ ହୋଇଛନ୍ତି ।