ସଂଚାର ବ୍ୟୁରୋ: ବଢୁଛି ମହାରାଷ୍ଟ୍ର ସସପେନ୍ସ। ସମୟ ଗଡୁଛି ହେଲେ ଛିଣ୍ଡି ପାରୁନି ଗଣିତ। ଗତକାଲି ରାତିରେ ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମହାରାଷ୍ଟ୍ର କାମଚଳା ମୁଖ୍ଯମନ୍ତ୍ରୀ ଏକନାଥ ସିନ୍ଦେ, ଦୁଇ ଉପମୁଖ୍ଯମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ଅଜିତ ପାୱାର ଭେଟି ୨ ଘଣ୍ଟା କାଳ ଆଲୋଚନା କରିଥିଲେ ବି ସମସ୍ୟାର ସମାଧାନ ହୋଇପାରିନାହିଁ। ତେବେ ମୁଖ୍ଯମନ୍ତ୍ରୀ ପଦ ପାଇବା ସମ୍ଭବ ହେଉ ନଥିବାବେଳେ ସିନ୍ଦେ ଉପମୁଖ୍ଯମନ୍ତ୍ରୀ ହୋଇ ଗୃହ ବିଭାଗ ଦାୟିତ୍ବ ରଖିବା ଲାଗି ଦାବି କରିଥିବା ସୂଚନା ମିଳିଛି। ବୈଠକରେ ବିଜେପି ସଭାପତି ଜେ.ପି. ନଡ୍ଡା ଯୋଗ ଦେଇଥିଲେ।
ସମ୍ଭବତଃ ନୂଆ କ୍ଯାବିନେଟର ରୂପରେଖ ନେଇ ଆଲୋଚନା ହୋଇଥିଲେ ବି ସହମତି ପ୍ରକାଶ ପାଇପାରିନାହିଁ। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଏନସିପିର ୪୧ ବିଧାୟକ ଅଛନ୍ତି। ତେବେ ଦେବେନ୍ଦ୍ର ଫଡନବିସ ମୁଖ୍ଯମନ୍ତ୍ରୀ ହେବା ଏକରକମ ନିଶ୍ଚିତ ହୋଇଛି। କେତେକ ସର୍ତ୍ତରେ ସିନ୍ଦେ ଉପମୁଖ୍ଯମନ୍ତ୍ରୀ ହେବା ସମ୍ଭାବନା ରହିଛି।
ଶିବସେନାକୁ ନଗର ଉନ୍ନୟନ, ରାଜସ୍ବ, କୃଷି, ସ୍ବାସ୍ଥ୍ୟ, ଗ୍ରାମୀଣ ବିକାଶ, ଶିଳ୍ପ, ସାମାଜିକ ନ୍ୟାୟ ଓ ରାଜ୍ଯ ସଡକ ପରିବହନ ବିଭାଗ ମିଳିପାରେ। ସେପଟେ ଏନସିପି ଉପମୁଖ୍ଯମନ୍ତ୍ରୀ, ଅର୍ଥ ଓ ଯୋଜନା, ମେଡିକାଲ ଶିକ୍ଷା, କ୍ରୀଡା, ମହିଳା ଓ ଶିଶୁ କଲ୍ଯାଣ ଆଦି ବିଭାଗ ଲାଗି ଚାହିଁଛି। ମନ୍ତ୍ରିମଣ୍ଡଳରେ ବିଜେପି ୨୧ରୁ ୨୨, ଶିବସେନା ୧୦ରୁ ୧୨ ଓ ଏନସିପି ୮ରୁ ୯ ମନ୍ତ୍ରୀ ପାଇବା ଆଶା ରହିଛି। ରାଜ୍ଯ ମନ୍ତ୍ରିମଣ୍ଡଳରେ ସର୍ବାଧିକ ୪୩ ମନ୍ତ୍ରୀ ରହିପାରିବେ।