ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଶୁକ୍ରବାର ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୩ ଜଣ ମହିଳାଙ୍କ ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଆଉ ଜଣେ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା କଲ୍ୟାଣୀର ରଥତଲା ଅଞ୍ଚଳର ଥିବା ଏକ ବାଣ କାରଖାନାରେ ଘଟିଛି ।
ପୋଲିସ ସୂଚନା ଅନୁସାରେ, ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଆଖପାଖରେ ଥିବା ଘରଗୁଡ଼ିକ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ବିସ୍ଫୋରଣ ସ୍ଥଳରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିଲା । କିନ୍ତୁ ଯେତେବେଳେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଥିଲା, ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଆହତ ହୋଇଥିବା ଜଣେ ମହିଳାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ରହିଛି ।
ସମସ୍ତ ମୃତକ ଏବଂ ଆହତଙ୍କୁ ଚିହ୍ନଟ କରାଯାଉଛି । ସେମାନେ କାରଖାନାର କର୍ମଚାରୀ ଥିଲେ କି ନାହିଁ, ତାହା ଜାଣିବାକୁ ଆମେ ଚେଷ୍ଟା କରୁଛୁ ବୋଲି ପୋଲିସ ଅଧିକାରୀ କହିଛନ୍ତି । ବିସ୍ଫୋରଣ ପରେ କାରଖାନାରେ ନିଆଁ ଲାଗିଯିବାରୁ ସ୍ଥିତି ଆହୁରି ଭୟଙ୍କର ହୋଇଯାଇଥିଲା । ଅଗ୍ନିଶମ ବାହିନୀ ପ୍ରାୟ ଦେଢ଼ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ ।
ବିସ୍ଫୋରଣର କାରଣ ଖୋଜିବା ପାଇଁ ଫୋରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛି । ବିସ୍ଫୋରଣ କିପରି ହେଲା ଏବଂ କାରଖାନାରେ ବାଣ ତିଆରି ପାଇଁ ଆଇନଗତ ଲାଇସେନ୍ସ ଥିଲା କି ନାହିଁ, ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହ ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ନିକଟରେ ତାମିଲନାଡୁର ବିରୁଧନଗର ଜିଲ୍ଲାରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୬ ଜଣଙ୍କ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । କେମିକାଲ୍ ମିଶ୍ରଣ ପ୍ରକ୍ରିୟା ସମୟରେ ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଯୋଗୁ ଏକ ରୁମ୍ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ଏବଂ ଉଦ୍ଧାରକାରୀ ଦଳ ପହଞ୍ଚି ରେସକ୍ୟୁ କାର୍ଯ୍ୟ କରିଥିଲେ ।