ରାଜ୍ୟରେ ପୁଣି ଫେରିଛି ଥଣ୍ଡା। ଗତ କିଛି ଦିନ ହେବ ଥଣ୍ଡା କମିଥିବାବେଳେ ବର୍ତ୍ତମାନ ହାଲୁକା ଥଣ୍ଡା ଅନୁଭୂତ ହେଉଛି। କିନ୍ତୁ କୁହାଯାଉଛି ଯେ ରାତିର ତାପମାତ୍ରା ବଢ଼ିପାରେ। ଫେରିପାରେ ହାଲୁକା ଥଣ୍ଡା । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମିପାରେ ଆସନ୍ତା ୩ ଦିନ ଭିତରେ । ସାମୟିକ ଭାବେ ଏହି ଶୀତ ଅନୁଭୂତ ହୋଇପାରେ । ଏହା ପରବର୍ତ୍ତୀ ୩ ଦିନରେ ରାତି ତାପମାତ୍ରା ପୁଣି ସାମାନ୍ୟ ବଢ଼ିବା ସମ୍ଭାବନା ଅଛି । ଏଭଳି ପୂର୍ବାନୁମାନ ଦେଖାଇଛି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ।
ଗୁରୁବାର ରାତିରେ ଜି.ଉଦୟଗିରି ସର୍ବନିମ୍ନ ତାପମାତ୍ରା ୭.୮ ଡିଗ୍ରୀ ସେଲସିୟସ୍ ଥିବାବେଳେ ସେମିଳିଗୁଡ଼ା ୯.୧ ଡିଗ୍ରୀ ଥିଲା ।
କଟକ, ଭୁବନେଶ୍ୱର, କେନ୍ଦୁଝର, ଭବାନୀପାଟଣା, ତାଳଚେର, ବଲାଙ୍ଗୀର, କୋରାପୁଟ, ଫୁଲବାଣୀ, ମାଲକାନଗିରି, ଦାରିଙ୍ଗିବାଡ଼ି, ଯାଜପୁର, ନୂଆପଡ଼ା, ନବରଙ୍ଗପୁର, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ରାଉରକେଲାରେ ପାରଦ ୧୫ ଡିଗ୍ରୀ ତଳେ ଥିଲା । ଦିନ ତାପମାତ୍ରା ପ୍ରାୟତଃ ୩୧ ଡିଗ୍ରୀ ଭିତରେ ରହିଥିଲା । ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ରହିପାରେ ।
ସେହିପରି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଆସନ୍ତା ଦୁଇ ସପ୍ତାହ ପାଇଁ ପାଣିପାଗର ବିସ୍ତାରିତ ଆକଳନ ଜାରି ହୋଇଛି । ଏଥିରେ ଅନୁମାନ କରାଯାଉଛି, ପୂର୍ବ ଭାରତରେ ଆସନ୍ତା ୧୯ ପର୍ଯ୍ୟନ୍ତ ରାତି ତାପମାତ୍ରା ସ୍ୱାଭାବିକଠାରୁ ସାମାନ୍ୟ କମ୍ ରହିପାରେ । ଅର୍ଥାତ୍ ଓଡ଼ିଶାରେ ବି ସେପର୍ଯ୍ୟନ୍ତ ହାଲୁକା ଥଣ୍ଡା ପ୍ରଭାବ ରହିପାରେ । ରାତି ତାପମାତ୍ରା ସାମାନ୍ୟ କମିଛି ବିଭିନ୍ନ ସ୍ଥାନରେ ।
ତେବେ ସୂଚନାନୁସାରେ, ଫେବ୍ରୁଆରୀ ମାସରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେବ, ଏହାସହ ଧିରେ ଧିରେ ଏହା କମି ମାର୍ଚ୍ଚ ମାସବେଳକୁ ଖରା ବା ତାତି ଆରମ୍ଭ ହୋଇଯିବ। କେବଳ ସେତିକି ନୁହେଁ, ଚଳିତ ବର୍ଷ ଅଧିକ ତାତି ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ସୂଚନା ଦେଇଛନ୍ତି।
