ବେଙ୍ଗାଲୁରୁ ଦଳାଚକଟାରେ ମୁହଁ ଖୋଲିଲେ ବିରାଟ କୋହଲି । ୩ ମାସ ପରେ ବିରାଟ କୋହଲିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଆଇପିଏଲର ୧୮ତମ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମ ଜିତିଥିଲା । ଏହି ବିଜୟ ୧୮ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସକୁ ଜିତିଥିବାରୁ ସମସ୍ତ RCB ଖେଳାଳି ବହୁତ ଖୁସି ଥିଲେ । RCB ଫ୍ରାଞ୍ଚାଇଜ୍ ତାର ପ୍ରଶଂସକମାନଙ୍କୁ ଉପହାର ଦେବା ପାଇଁ ଜୁନ୍ ୪ ତାରିଖରେ ବେଙ୍ଗାଲୁରୁରେ ଏକ ବିଜୟ ପରେଡ୍ ଆୟୋଜନ କରିଥିଲା ।
କିନ୍ତୁ ଏହା ସେମାନଙ୍କର ସବୁଠାରୁ ବଡ଼ ଭୁଲ ପ୍ରମାଣିତ ହୋଇଥିଲା । ଯାହା ଫଳରେ ଖୁସିର ପରିବେଶ ଦୁଃଖରେ ପରିଣତ ହୋଇଗଲା । ଅଧିକ ପ୍ରଶଂସକଙ୍କ ଆଗମନ ଯୋଗୁଁ ଦଳାଚକଟା ଘଟି ୧୧ ଜଣଙ୍କ ଜୀବନ ଗଲା । ଏବେ ଏହି ସମ୍ପୂର୍ଣ୍ଣ ମାମଲାରେ RCB ଦଳର ଷ୍ଟାର ଖେଳାଳି ବିରାଟ କୋହଲିଙ୍କ ବୟାନ ସାମ୍ନାକୁ ଆସିଛି ।
କୋହଲି କହିଛନ୍ତି ଯେ, ଜୀବନରେ କିଛି ବି ଆପଣଙ୍କୁ ୪ ଜୁନ ଭଳି ହୃଦୟବିଦାରକ ଘଟଣା ପାଇଁ ପ୍ରସ୍ତୁତ କରେ ନାହିଁ । ଯାହା ଆମ ପ୍ରାଞ୍ଚାଇଜର ଇତିହାସର ସବୁଠୁ ଖୁସିର ମୁହୂର୍ତ୍ତ ହେବାର ଥିଲା.. ତାହା ଏକ ଦୁଃଖଦ ଘଟଣାରେ ବଦଳିଗଲା । ମୁଁ ସେହି ଲୋକଙ୍କ ପରିବାର ବିଷୟରେ ଭାବୁଛି ଏବଂ ତାଙ୍କ ପାଇଁ ପ୍ରାର୍ଥନା କରୁଛି ଯେ, ଯାହାକୁ ଆମେ ହରାଇଲୁ.. ଏବଂ ଯିଏ ଆହତ ହୋଇଛନ୍ତି । ଆପଣଙ୍କ କ୍ଷତି ବର୍ତ୍ତମାନ ଆମ କାହାଣୀର ଅଂଶ । ଆମେ ସବୁ ମିଶି ଦାୟିତ୍ୱର ସହ ଆଗକୁ ବଢିବା ।
ସୂଚନାଯୋଗ୍ୟ, ଜୁନ୍ ୩ ତାରିଖରେ ଆଇପିଏଲ ୨୦୨୫ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଜିତିବା ପରେ ବେଙ୍ଗାଲୁରୁରେ ବିଜୟ ଉତ୍ସବ ପାଇଁ ପ୍ରସ୍ତୁତି ହୋଇଥିଲା । ପ୍ରଥମେ ବିଜୟ ପରେଡ ପାଇଁ ଯୋଜନା ହୋଇଥିବା ବେଳେ ପରେ ଟ୍ରାଫିକ ଜାମ୍ ଦେଖି ବିଜୟ ପରେଡକୁ ଅନୁମତି ଦେଇନଥିଲା ବେଙ୍ଗାଲୁରୁ ପୋଲିସ । ବିଜୟ ପରେଡ ପରେ ଚିନ୍ନାସ୍ବାମୀ ଷ୍ଟାଡିୟମରେ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ରହିଥିଲା । ବିଜୟ ପରେଡ ପାଇଁ ଅନୁମତି ନ ମିଳିବାରୁ ଭିଡ଼ ଷ୍ଟାଡିୟମ ବାହାରେ ଜମା ହୋଇଥିଲା । ପ୍ରିୟ ଟିମକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଦଳାଚକଟା ଆରମ୍ଭ ହୋଇଯାଇଥିଲା । ଯେଉଁଥି ପାଇଁ ୧୧ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ଅନେକ ଆହତ ହୋଇଥିଲେ । ଏହି ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଜନଙ୍କୁ ପୂର୍ବରୁ ଆରସିବି ୧୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । କିନ୍ତୁ ପରେ ଏହାକୁ ବଢାଇ ୨୫ ଲକ୍ଷ ଟଙ୍କା କରିଛି ।