ରାତିର ନିରବତା ଭିତରେ ହଠାତ୍ ରାସ୍ତା ଉପରେ ଦେଖାଗଲା ବାଘ। ଅନ୍ଧାର ରାସ୍ତାରେ କାରର ହେଡ୍ଲାଇଟ୍ ପଡ଼ିବା ମାତ୍ରେ ସାମ୍ନାରେ ଠିଆ ହୋଇଥିଲା କାଳରାପତରିଆ ବାଘ। କିଛି ସମୟ ପାଇଁ ରାସ୍ତା ପାର ହେବାକୁ ଚେଷ୍ଟା କରି ଅଟକି ଯାଇଥିବା ବାଘକୁ ଦେଖି ଯୁବକଙ୍କ ମନରେ ଛାଇଯାଇଥିଲା ଭୟ ଓ ରୋମାଞ୍ଚ। ତେବେ ଏହି ଦୁର୍ଲଭ ଦୃଶ୍ୟକୁ ସେ ନିଜ ମୋବାଇଲ କ୍ୟାମେରାରେ କଏଦ କରିବାକୁ ଭୁଲିନଥିଲେ।
ଘଟଣାଟି ନୂଆପଡ଼ା ଜିଲ୍ଲାର ଖୁଟବନ ଭେରା ଅଞ୍ଚଳର ବୋଲି ଜଣାପଡ଼ିଛି। ରବିବାର ରାତିରେ ସାରାବଙ୍ଗ-ପତୋରା ଅଭିମୁଖେ ଯାଉଥିବା ଜଣେ ଯୁବକଙ୍କ ସାମ୍ନାକୁ ହଠାତ୍ ଆସିଥିଲା ବାଘ। ରାତିର ଅନ୍ଧାରରେ ନିଛାଟିଆ ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍ ତାଙ୍କ ନଜର ପଡ଼ିଥିଲା ରାସ୍ତା ପାର୍ଶ୍ୱରେ ଥିବା ଏକ ବଡ଼ ବନ୍ୟଜନ୍ତୁ ଉପରେ। ପ୍ରଥମେ ସେ ହୁଏତ ଅନ୍ୟ କୌଣସି ପଶୁ ଭାବିଥାଇପାରନ୍ତି। କିନ୍ତୁ କାର ନିକଟତର ହେବା ସହ ହେଡ୍ଲାଇଟ୍ର ଆଲୋକରେ ସ୍ପଷ୍ଟ ହୋଇଥିଲା ଦୃଶ୍ୟ। ରାସ୍ତା କଡ଼ରେ ଥିଲା ଏକ କାଳରାପତରିଆ ବାଘ। ବାଘଟି ରାସ୍ତା ପାର ହେବାକୁ ଉଦ୍ୟମ କରୁଥିବା ବେଳେ କାରର ଆଲୋକ ତା’ ଉପରେ ପଡ଼ିଥିଲା। ଆଲୋକରେ ହଠାତ୍ ଅଟକି ଯାଇଥିଲା ବାଘ।
ଏହି ମୁହୂର୍ତ୍ତଟି ଥିଲା ସବୁଠାରୁ ରୋମାଞ୍ଚକର। କାର ଚଳାଉଥିବା ଯୁବକ ମଧ୍ୟ ସାହସ କରି ଗାଡ଼ିକୁ ଅଟକାଇ ଦେଇଥିଲେ। ସାମ୍ନାରେ ଜଙ୍ଗଲୀ ବାଘ, ଚାରିପଟେ ଅନ୍ଧାର ଏବଂ ମଝିରେ ଅଟକିଥିବା କାର ପରିସ୍ଥିତି କୌଣସି ରୋମାଞ୍ଚକର ଫିଲ୍ମର ଦୃଶ୍ୟଠାରୁ କମ୍ ନଥିଲା। ବାଘଟି ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ସେହି ସ୍ଥାନରେ ଠିଆ ହୋଇ ରହିଥିଲା। ଯୁବକ ଗାଡ଼ି ଅଟକାଇବା ପରେ ମଧ୍ୟ ବାଘ ତୁରନ୍ତ ଜଙ୍ଗଲ ଭିତରକୁ ଚାଲିଯାଇନଥିଲା। ଏହି ସମୟରେ ଯୁବକ ନିଜ ମୋବାଇଲ ବାହାର କରି ଏହି ଭିଡିଓ କରିଥିଲେ।
