ଟ୍ରେନରେ ହନିମୁନ ସୁଇଟ୍ । ଭିଡିଓ ଭାଇରାଲ ହେବା ପରେ ସସପେଣ୍ଡ ହେଲେ ଟିଟିଇ । ଟ୍ରେନର ଏସି ପ୍ରଥମ ଶ୍ରେଣୀ କ୍ୟାବିନକୁ ହନିମୁନ୍ ସୁଇଟ୍ ରେ ପରିଣତ କରିବା ଏବେ ଜଣେ ରେଳବାଇ କର୍ମଚାରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ସୋସିଆଲ ମିଡିଆରେ ଏହାର ଭିଡିଓ ଭାଇରଲ୍ ହେବା ପରେ ଦକ୍ଷିଣ ମଧ୍ୟ ରେଳବାଇ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଡ୍ୟୁଟିରେ ଥିବା ଟିଟିଇଙ୍କୁ ତୁରନ୍ତ ନିଲମ୍ୱନ କରାଯାଇଛି । ଏହି ଆଶ୍ଚର୍ଯ୍ୟଜନକ ଘଟଣାଟି ମୁମ୍ବାଇରୁ ବଲହରସା ମଧ୍ୟରେ ଯାତାୟତ କରୁଥିବା ନନ୍ଦୀଗ୍ରାମ ଏକ୍ସପ୍ରେସରେ ଘଟିଛି ।
ଏକ ବେସରକାରୀ ଇଭେଣ୍ଟ ମ୍ୟାନେଜମେଣ୍ଟ ସଂସ୍ଥା ଦ୍ୱାରା ପ୍ରଥମ ଶ୍ରେଣୀ ଏସି କ୍ୟାବିନକୁ ବେଲୁନ୍, ମହମବତୀ, ଗୋଲାପ ଫୁଲରେ ସଜାଇଥିଲା । ସେହିପରି କାନ୍ଥରେ ‘ଆଇ ଲଭ୍ ୟୁ’ ଲେଖାଯାଇ ଏକ ବିଳାସପୂର୍ଣ୍ଣ ରୁମ୍ ଭଳି ସଜାଯାଇଥିଲା । ମହାରାଷ୍ଟ୍ରର ଜାଲନା ରେଳ ଷ୍ଟେସନରୁ ଏକ ନବବିବାହିତ ଦମ୍ପତିଙ୍କ ପାଇଁ ଏହି ସରପ୍ରାଇଜ୍ ବୁକିଂ କରାଯାଇଥିଲା ।
ରେଳବାଇର ନିୟମ ଅନୁଯାୟୀ, ଟ୍ରେନ୍ ଭିତରେ ଏପରି ସଜାଇବା ପାଇଁ ବାହାର ଲୋକଙ୍କୁ ଅନୁମତି ମିଳେନାହିଁ । ବିନା ଅନୁମତିରେ ବାହାର ସଂସ୍ଥାକୁ ଟ୍ରେନ୍ ଭିତରକୁ ପ୍ରବେଶ ଅନୁମତି ଦେବା ଏବଂ ସୁରକ୍ଷା ନିୟମର ଉଲ୍ଲଂଘନ ଅଭିଯୋଗରେ ଟିଟିଇଙ୍କୁ ସସପେଣ୍ଡ କରାଯିବା ସହ ଏକ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।

