ସଂଚାର ବ୍ୟୁରୋ: ପୁଣି ଜୋରଧରିଲା ଚାଷୀ ଆନ୍ଦୋଳନ। ଆନ୍ଦୋଳନର ୨୦୦ ଦିନ ଅବସରରେ ଶମ୍ଭୁ ବର୍ଡରରେ ଚାଷୀଙ୍କ ସହ ସାମିଲ ହୋଇଛନ୍ତି ରେସଲର ଭିନେଶ ଫୋଗଟ। ସେ କହିଛନ୍ତି ଆପଣମାନଙ୍କର ଝିଅ ଆପଣଙ୍କ ସାଥୀରେ ଅଛନ୍ତି। ଗତ ଫେବୃଆରୀ ୧୩ରୁ ଚାଷୀମାନେ ଶମ୍ଭୁ ବର୍ଡରରେ ଆନ୍ଦୋଳନ ଜାରି ରଖିଛନ୍ତି। ସେମାନଙ୍କ ଦିଲ୍ଲୀ ଅଭିଯାନକୁ ରୋକାଯିବା ପରେ ସେହିଦିନଠାରୁ ସେମାନେ ସେଠାରେ ଡେରା ପକାଇଛନ୍ତି। ଚାଷ ଓ ଚାଷୀ ସଂକ୍ରାନ୍ତ କେତେକ ପ୍ରମୁଖ ଦାବି ସମେତ ସମସ୍ତ ଶସ୍ଯର ସର୍ବନିମ୍ନ ସହାୟକ ମୂଲ୍ଯ ଲାଗି ଆଇନଗତ ଗ୍ଯାରେଣ୍ଟି ଦାବି ନେଇ ଆନ୍ଦୋଳନ କରୁଛନ୍ତି ଚାଷୀ। ଅଲିମ୍ପିକ୍ସରେ ପଦବିରୁ ବଞ୍ଚିତ ଭିନେଶଙ୍କୁ ଚାଷୀମାନେ ଫୁଲମାଳ ଦେଇ ସ୍ବାଗତ କରିଥିଲେ। ଭିନେଶ କହିଛନ୍ତି- ନ୍ଯାଯ୍ୟ ଦାବି ନେଇ ଚାଷୀମାନେ ଆନ୍ଦୋଳନରେ ବସିଛନ୍ତି। ସେମାନେ ନିଜର ଅଧିକାର ଲାଗି ଲଢେଇ କରୁଛନ୍ତି। ସେ ଏକ କୃଷକ ପରିବାରରେ ଜନ୍ମ ହୋଇଥିବାରୁ ଗର୍ବିତ ବୋଲି କହିଛନ୍ତି ଭିନେଶ। ଚାଷୀମାନେ ନିଜର ଅଧିକାର ଲାଗି ୨୦୦ ଦିନ ଧରି ଆନ୍ଦୋଳନ କରୁଛନ୍ତି। ସେମାନଙ୍କ ଦାବି ପୂରଣ ଲାଗି ସରକାରଙ୍କ ନିକଟରେ ଦାବି କରିଛନ୍ତି ଭିନେଶ। ଏହି ଆନ୍ଦୋଳନର ନେତୃତ୍ବ ନେଉଛନ୍ତି ସର୍ବନ ସିଂ ପାନ୍ଧେର। ବିବାଦୀୟ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ।