ସଂଚାର ବ୍ୟୁରୋ: ନିଶ୍ଚିତ ପଦକରୁ ବଂଚିତ ହେବା ପରେ ଅସୁସ୍ଥ ହୋଇପଡିଛନ୍ତି ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ । ଅଯୋଗ୍ଯ ଘୋଷିତ ହେବା ଶୁଣିବା ପରେ ସେ ବେହୋସ ହୋଇପଡିବାରୁ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କ ଶରୀରରେ ଜଳୀୟ ଅଂଶ କମିଯିବାରୁ ହସପିଟାଲରେ ଭର୍ତ୍ତି କରାଯାଇଛି । ତାଙ୍କୁ ତରଳ ଖାଦ୍ଯ ଦିଆଯାଇଛି । ତେବେ ନିଶ୍ଚିତ ପଦକ ଦୌଡରେ ଥିବା ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟଙ୍କୁ ଆଜି ଲାଗିଥିଲା ଶକ୍ତ ଝଟକା । ମହିଳା ୫୦ ବର୍ଗରେ କୁସ୍ତିରେ ମାତ୍ର ଶହେ ଗ୍ରାମ ଓଜନ ବୃଦ୍ଧି ପାଇଁ ଭିନେଶଙ୍କୁ ଅଯୋଗ୍ଯ ଘୋଷଣା କରାଯାଇଥିଲା । ଗତକାଲି ସେ ସେମିଫାଇନାଲ ରାଉଣ୍ଡ ଜିତି ଫାଇନାଲକୁ ଯାଇଥିଲେ । ସେମିଫାଇନାଲରେ କ୍ୟୁବାର ପ୍ରତିଯୋଗୀଙ୍କୁ ଭିନେଶ ୫-୦ ପଏଣ୍ଟରେ ହରାଇଥିଲେ। ଆଜି ରାତିରେ ଫାଇନାଲ ମୁକାବିଲା ଥିଲା । ହେଲେ ତାର କିଛି ଘଣ୍ଟା ପୂର୍ବରୁ ତାଙ୍କୁ ଅଲିମ୍ପିକ୍ସ କମିଟି ଅଯୋଗ୍ଯ ଘୋଷଣା କରି ସାରାଦେଶକୁ ସ୍ତବ୍ଧ କରିଦେଇଛି । ଆଜି ଜିତିଥିଲେ ଭିନେଶ ସ୍ବର୍ଣ୍ଣ ଏବଂ ପରାସ୍ତ ହୋଇଥିଲେ ରୋପ୍ଯ ପଦକ ଜିତିଥାନ୍ତେ । ହେଲେ ଦେଶ ତଥା ଭିନେଶଙ୍କ ସ୍ବପ୍ନ ଧୂଳିସାତ ହୋଇଯାଇଛି । ସେପଟେ ପରିବାର ଲୋକ ଅଭିଯୋଗ କରିଛନ୍ତି ଯେ, ଏହା ପଛରେ ବହୁତ ବଡ଼ ଷଡ଼ଯନ୍ତ୍ର କରାଯାଇଛି ।