ସଂଚାର ବ୍ୟୁରୋ: ଉତ୍କଳ ବିଶ୍ବବିଦ୍ୟାଳୟକୁ ଅଣଛାତ୍ର ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ଏହାକୁ ବିରୋଧ କରି ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି କ୍ୟାଣ୍ଟିନ ମାଲିକଙ୍କ ସହ କିଛି ଅଣଛାତ୍ର। ଅଣଛାତ୍ରଙ୍କୁ ବାହାର କରିବା ଓ କ୍ୟାଣ୍ଟିନ ଉଚ୍ଛେଦକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନାପୂର୍ଣ୍ଣ ସ୍ଥିତି। କ୍ୟାଣ୍ଟିନ ମାଲିକଙ୍କ କହିବା କଥା, କର୍ତ୍ତୃପକ୍ଷଙ୍କ ଅନୁମତି ନେଇ ସେମାନେ କ୍ୟାଣ୍ଟିନ ଖୋଲିଥିଲେ। କିନ୍ତୁ ଏବେ ସେମାନଙ୍କୁ ଉଚ୍ଛେଦ କରି ସେମାନଙ୍କ ପୂର୍ଣ୍ଣ ବକେୟା ପ୍ରାପ୍ୟ ଦେଉନାହାନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଅଣଛାତ୍ରଙ୍କୁ ବାହାର କରିବା ନେଇ ଆଜି ଦିନ ତମାମ ସରଗରମ ହୋଇଥିଲା ଉତ୍କଳ ବିଶ୍ବବିଦ୍ୟାଳୟ କ୍ଯାମ୍ପସ। ଖାଲି ହୋଇଛି ଅଣ ଛାତ୍ରଙ୍କ କବଜାରେ ଥିବା ଦୁଇ ଶହରୁ ଅଧିକ ହଷ୍ଟେଲ ରୁମ ।
ହଷ୍ଟେଲରେ ଛାତ୍ର ନୁହେଁ ଅଣଛାତ୍ରଙ୍କ ଆଡ୍ଡା ପାଲଟିଥିଲା ଉତ୍କଳ ବିଶ୍ଵବିଦ୍ୟାଳୟ ପରିସର । ୪ଟି ଛାତ୍ରାବାସକୁ ଅଣ ଛାତ୍ର ମୁକ୍ତ କରିବାକୁ ଅଣ୍ଟା ଭିଡିଛନ୍ତି ବିଶ୍ୱବିଦ୍ୟାଳୟ ପ୍ରଶାସନ । ପୋଲିସ ଫୋର୍ସ ଓ ଅଧିକାରୀଙ୍କ ଉପସ୍ଥିତିରେ ଅଣ ଛାତ୍ର ରହୁଥିବା କୋଠରୀକୁ ଖାଲି କରିଛି ପ୍ରଶାସନ । ୪ଟି ହଷ୍ଟେଲର ୨୧୨ ରୁମ ଖାଲି ହୋଇଛି । ଜବରଦଖଲ ଉଛେଦକୁ ନେଇ ପରିସରରେ ଚାପା ଉତ୍ତେଜନା ଲାଗି ରହିଛି । କ୍ୟାମ୍ପସରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୂର୍ବରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପକ୍ଷରୁ ଜିନିଷ ପତ୍ର ସହ ହଷ୍ଟେଲ ଛାଡ଼ିବାକୁ ନୋଟିସ୍ କରାଯାଇଥିଲା ।