ଭୁବନେଶ୍ୱର : ଆଉ ନାହାଁନ୍ତି ଏଭରଗ୍ରୀନ୍ ଷ୍ଟାର ଉତ୍ତମ ମହାନ୍ତି । ଅଭିନୟ ସାରି ଅଫେରା ରାଇଜକୁ ଫେରିଗଲେ । ଦିଲ୍ଲୀ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ପରଲୋକ ହୋଇଛି। ମାତ୍ର ୬୭ ବର୍ଷ ବୟସରେ ଚିର ନିଦ୍ରାରେ ଶୋଇଯାଇଛନ୍ତି । ଉତ୍ତମ ମହାନ୍ତିଙ୍କ ପରଲୋକ ନେଇ ତାଙ୍କ ପୁତୁରା ସୂଚନା ଦେଇଛନ୍ତି । ପେବ୍ରୁଆରୀ ୮ ତରିଖରେ ତାଙ୍କୁ ଭୁବନେଶ୍ବରରୁ ମେଦାନ୍ତ ହସ୍ପିଟାଲକୁ ଏୟାର ଲିଫ୍ଟ କରାଯାଇଥିଲା । ତା ପୂର୍ବରୁ ସେ ଭୁବନେଶ୍ବର କିମ୍ସ ସୁପର ସ୍ପେଶାଲିଟି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏୟାର ଲିଫଟ କରାଯାଇଥିଲା । ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ୨୦ ଦିନ କାଳ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରି ଶେଷରେ ଚିରବିଦାୟ ନେଇଛନ୍ତି ଉତ୍ତମ । ତାଙ୍କ ବିୟୋଗରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଦିନ ୧୧ଟା ୩୦ରେ ଭୁବନେଶ୍ବରରେ ପହଞ୍ଚିବ ପାର୍ଥିବ ଶରୀର । ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପର୍ଣ୍ଣ ହେବ ।
ଦର୍ଶକଙ୍କୁ ଅନେକ ସୁପରହିଟ୍ ସିନେମା ଭେଟି ଦେଇଥିଲେ ଉତ୍ତମ ମହାନ୍ତି। ବଳିଷ୍ଠ ଅଭିନୟ ପାଇଁ ସେ ବହୁ ପୁରସ୍କାର ଲାଭ କରିଥିଲେ । ଏକମାତ୍ର ଓଡ଼ିଆ ଅଭିନେତା ଭାବେ ଲଗାତାର ୩ବର୍ଷ ଧରି ୧୯୮୨,୧୯୮୩ ଓ ୧୯୮୪ରେ ରାଜ୍ୟ ସରକାରଙ୍କ ଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ । ୧୯୯୯ରେ ସମ୍ମାନଜନକ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ।