ଆଜି ଉତ୍କଳ ଦିବସ। ଆଜି ତାରିଖରେ ଗଠନ ହୋଇଥିଲା ସ୍ବତନ୍ତ୍ର ଉତ୍କଳ ପ୍ରଦେଶ। ୧୯୩୬ ମସିହା ଏପ୍ରିଲ ୧ରେ ୬ଟି ଜିଲ୍ଲାକୁ ନେଇ ଗଠନ ହୋଇଥିଲା ସ୍ବତନ୍ତ୍ର ରାଜ୍ୟ।। ଓଡ଼ିଶା ଦିବସର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଓଡ଼ିଶା ଦିବସ ଉପଲକ୍ଷେ ଓଡ଼ିଶାବାସୀ ଭାଇଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି । ସାମଜିକ ଗଣମାଧ୍ୟମରେ ସେ କହିଛନ୍ତି, ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ସୁପ୍ରାଚୀନ ପରମ୍ପରା ତଥା ଓଡ଼ିଶାବାସୀଙ୍କ ଧୈର୍ଯ୍ୟ ଓ ସହନଶୀଳତାର ସ୍ୱାକ୍ଷର ବହନ କରେ ଏହି ଦିବସ । ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ରାଷ୍ଟ୍ରଗଠନରେ ଓଡ଼ିଶାର ଅମୂଲ୍ୟ ଯୋଗଦାନ ଆମ ସମସ୍ତଙ୍କୁ ସବୁବେଳେ ପ୍ରେରଣା ଦେଇଆସିଛି।
ବିକଶିତ ଭାରତ ନିର୍ମାଣରେ କୁଶଳ ଏବଂ କର୍ମଠ ଓଡ଼ିଶାବାସୀଙ୍କ ଭୂମିକା ବେଶ୍ ଉଲ୍ଲେଖନୀୟ । ଆଜିର ଏହି ଶୁଭ ଅବସରରେ ଓଡ଼ିଶାବାସୀଙ୍କ ସୁଖ-ସମୃଦ୍ଧି ଓ ମଙ୍ଗଳ ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ମୁଁ ପ୍ରାର୍ଥନା କରୁଅଛି ବୋଲି ସାମଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
ପବିତ୍ର ଉତ୍କଳ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ସାମାଜିକ ଗଣମାଧ୍ୟମରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ବୋଲି କହିଛନ୍ତି । ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ।
ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା । ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ରାଜ୍ୟ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା।
ଆଜିର ପବିତ୍ର ଦିନରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେହି ବରେଣ୍ୟ ସନ୍ତାନମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆସନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ଆମର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ଆହୁରି ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ ହେବ ବୋଲି ସାମାଜିକ ଗଣମାଧ୍ୟମରେ ପୋଷ୍ଯ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

