ଆଜି ଉତ୍କଳ ଦିବସ । ୧୯୩୬ ଏପ୍ରିଲ ୧, ଓଡ଼ିଶା ଇତିହାସରେ ସ୍ବର୍ଣ୍ଣିମ ଅକ୍ଷରରେ ବିଦିତ ଏକ ଅବିସ୍ମରଣୀୟ ତାରିଖ। ଯାହାକୁ ନେଇ ନିଜକୁ ଗର୍ବିତ ଅନୁଭବ କରନ୍ତି ପ୍ରତ୍ୟେକ ଓଡ଼ିଆ । ଯେଉଁ ଦିନ ଭାଷା ଭିତ୍ତିରେ ଗଠନ ହୋଇଥିଲା ସ୍ବତନ୍ତ୍ର ଓଡ଼ିଶା ରାଜ୍ୟ । ଯେଉଁମାନଙ୍କର ଅଦମ୍ୟ ସାଧନା, ପ୍ରଚେଷ୍ଟା ଲାଗି ଓଡ଼ିଶା ଭାଷା ଭିତ୍ତିରେ ସ୍ବତନ୍ତ୍ର ପରିଚୟ ପାଇପାରିଛି ସେମାନଙ୍କୁ ଆଜି ସମସ୍ତେ ମନେ ପକାଉଛନ୍ତି। ଏହି ଦିନ ବୟାନ କରେ ଓଡ଼ିଶା ରାଜ୍ୟ ଗଠନର ଗୌରବମୟ ଇତିହାସ । ଓଡ଼ିଆ ଜାତିର ତେଜୋଦୀପ୍ତ ଅସ୍ମିତାର ସୁରକ୍ଷା ନେଇ ଏକ ସୁଦୀର୍ଘ ସଂଗ୍ରାମର କାହାଣୀ କୁହେ ଏପ୍ରିଲ ୧ ତାରିଖ ।
ଇଏ ସେହି ଦିନ ଯେଉଁ ଦିନ ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇ ଜନ୍ମ ନେଇଥିଲା ଆମ ରାଜ୍ୟ। ମୟୂରଭଞ୍ଜରୁ ମାଲକାନଗିରି, ନୂଆପଡ଼ାରୁ କେନ୍ଦ୍ରାପଡ଼ା, ଆଜି ଯାହା ମାତ୍ର ୩୦ ଜିଲ୍ଲା ଭିତରେ ଆବଦ୍ଧ । ଦିନ ଥିଲା ଏହି ଉତ୍କଳ ଗଙ୍ଗାଠାରୁ ଗୋଦାବରୀ ଯାଏଁ ଥିଲା ପରିବ୍ୟାପ୍ତ । ଆଉ 1936 ମସିହାରେ ଯେତେବେଳେ ସେ ନୂଆ ପରିଚୟ ପାଇଲା ସେତେବେଳେ ଭାଷା ଭିତ୍ତିରେ ଭାରତରେ ଗଠନ ହୋଇଥିଲା ପ୍ରଥମ ରାଜ୍ୟ। ଯାହାର ନାଁ ହେଲା ଓଡ଼ିଶା। ଏହି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଦିଗରେ ମୁଖ୍ୟ ବିନ୍ଧାଣୀ ସାଜିଥିଲେ ଆମ ମାଟିର ବୀରପୁତ୍ରମାନେ ।
ମାତୃଭାଷା,ଓଡ଼ିଆ,ଓଡ଼ିଶା ଏହା କେବଳ ଗୋଟିଏ ଶବ୍ଦ ନୁହେଁ,ପ୍ରତିଟି ଓଡ଼ିଆଙ୍କ ଭାବାବେଗ । ଓଡ଼ିଆ ଖାଲି କେବଳ ଭାଷା ନୁହେଁ,ପ୍ରତିଟି ଓଡ଼ିଆଙ୍କ ପାଇଁ ସମ୍ପର୍କ ସ୍ଥାପନାର ମୂଳଦୁଆ । ପୁରପଲ୍ଲୀରେ ରହୁଥିବା ଲୋକମାନଙ୍କଠୁ ନେଇ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତେ ସହଜରେ ଗୋଟିଏ ସୂତାଖିଅରେ ବାନ୍ଧି ହୋଇଯାଆନ୍ତି ଏହି ମଧୁର ଭାଷା ସହ । ସବୁଠୁ ମଧୁର ଆମ ଭାଷା ଓ ଆମ ସାହିତ୍ୟ ।
ଆଜି ଉତ୍କଳ ଦିବସ ଚଳିତ ବର୍ଷ ୮୯ତମ ଉତ୍କଳ ଦିବସ ପାଳୁଛି ଓଡ଼ିଶା । ଆଜିର ଦିନକୁ ନେଇ ସାରା ରାଜ୍ୟବାସୀ ଉତ୍ସାହିତ ଥିବାବେଳେ ଗର୍ବର ସହ ଉତ୍କଳ ଦିବସ ପାଳନ କରନ୍ତି ପ୍ରତିଟି ଓଡିଆ ।
ଉତ୍କଳ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦିବସ ଓଡିଶାର ସମୃଦ୍ଧ ସଂସ୍କୃତି ପ୍ରତି ଏକ ଉପଯୁକ୍ତ ସମ୍ମାନ। ଓଡିଶାର ଇତିହାସ, ସାହିତ୍ୟ ଓ ସଙ୍ଗୀତକୁ ନେଇ ଭାରତ ଗର୍ବିତ ବୋଲି ଉଲ୍ଲେଖ କରିଛନ୍ତି ପିଏମ୍।
ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ପାଇଁ ନିଜର ଅସୀମ ତ୍ୟାଗ ଓ ବଳିଦାନ ତଥା ଆମ ଭାଷା, ସାହିତ୍ୟ ଓ ସଂସ୍କୃତିର ଗୌରବ ବୃଦ୍ଧି କରିଥିବା ମହାପୁରୁଷ ମାନଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ସେହିପରି ଓଡିଶାର ସମସ୍ତ ଭାଇ ଭଉଣୀ ତଥା ସମଗ୍ର ବିଶ୍ବରେ ଓଡିଆ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ଓଡିଆ ସମୁଦାୟଙ୍କୁ ଓଡିଆ ଦିବସର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଓଡ଼ିଆ ଅସ୍ମିତା, ଓଡ଼ିଆ ସ୍ୱାଭିମାନ ଏବଂ ଓଡ଼ିଆ ସଂସ୍କୃତିକୁ ଉଚିତ୍ ପରିଚୟ ଦେବା ପାଇଁ ସଂଘର୍ଷ କରିବା ସହ ବଳିଦାନ ଦେଇଥିବା ସମସ୍ତ ମହାପୁରୁଷଙ୍କୁ ପ୍ରଣାମ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ।

