ସଂଚାର ବ୍ୟୁରୋ: ଗୋଟିଏ ପରିବାରକୁ ମୂଳପୋଛ କରିଦେଲେ ଦୁର୍ବୃତ୍ତ। ବାଦ୍ ପଡିଲାନି ବର୍ଷକର ଶିଶୁ। ୩ ଝିଅ ଓ ବାପାମାଙ୍କୁ ହତ୍ଯା କରିଛନ୍ତି ଦୁର୍ବୃତ୍ତ। ଉତ୍ତରପ୍ରଦେଶ ମିରଟର ଏହି ଲୋମହର୍ଷକ ହତ୍ଯାକାଣ୍ଡ ସାରା ଦେଶରେ ସୃଷ୍ଟି କରିଛି ହଇଚଇ। ରାଜ୍ଯରେ ଆଇନଶୃଙ୍ଖଳା ସ୍ଥିତି ନେଇ ସୃଷ୍ଟି ହୋଇଛି ବଡ଼ ପ୍ରଶ୍ନ। ଏହି ଘଟଣାରେ କେତେକ ସନ୍ଦିଗ୍ଧଙ୍କୁ ଅଟକ ରଖିଛି ପୋଲିସ। ମୃତକ ହେଉଛନ୍ତି ୫୨ ବର୍ଷ ବୟସ୍କ ସ୍ବାମୀ ମହମ୍ମଦ ମୋଇନ, ୪୫ ବର୍ଷ ବୟସ୍କା ପତ୍ନୀ ଆସମା, ୮ ବର୍ଷର କନ୍ଯା ଅଫସା, ୪ ବର୍ଷୀୟ ଆଜିଜା ଓ ବର୍ଷକର ଶିଶୁ ଆଦିବା। ବଡ଼କଥା ହେଉଛି ହତ୍ଯାର ବୀଭତ୍ସ ଦୃଶ୍ଯ ଥିଲା ଅତି ଭୟଙ୍କର। ସ୍ବାମୀଙ୍କ ମୃତଦେହ ଖଟରେ ବନ୍ଧାଥିବା ପରିଲକ୍ଷିତ ହୋଇଥିବାବେଳେ ଖଟର ବକ୍ସ ଭିତରେ ରହିଥିଲା ମା ଓ ୩ ଝିଅଙ୍କ ଶବ। ସମସ୍ତଙ୍କୁ ବେଡସିଟରେ ଗୁଡାଇ ଦିଆଯାଇଥିଲା। ଘରର ବାହାର ପଟୁ ତାଲା ବନ୍ଦ ଥିବାରୁ ଘଟଣା ପଦାକୁ ଆସିବାରେ ହୋଇଥିଲା ବିଳମ୍ବ। ୪୫ ଦିନ ପୂର୍ବରୁ ଶାହାଜାହନପୁରର ବାସିନ୍ଦା ମୋଇନ ପରିବାର ସହ ଲିସାଦି ଗେଟ ଇଲାକାର ସୋହେଲ ଗାର୍ଡନକୁ ଆସି ଭଡାରେ ରହିଥିଲେ। ଏସଏସପି ବିପିନ ତାଡା କହିଛନ୍ତି- ସମସ୍ତଙ୍କୁ କୌଣସି ଭାରି ବସ୍ତୁରେ ମାଡ ମରାଯାଇ ହତ୍ଯା କରାଯାଇଥିଲା। ହତ୍ଯାକାଣ୍ଡର କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି। ତେବେ ମୋଇନଙ୍କ ବଡ ଭାଇ କିଛି ଦିନ ତଳେ ତାଙ୍କୁ ଏକ ଜମି ବାବଦରେ ସାଢେ ଚାରି ଲକ୍ଷ ଟଙ୍କା ଋଣ ଦେଇଥିଲେ ବୋଲି ପୋଲିସ କହିଛି। ସେପଟେ ରାଜ୍ଯରେ ଆଇନଶୃଙ୍ଖଳା ସ୍ଥିତି ନେଇ ବର୍ଷିଛନ୍ତି ୟୁପି କଂଗ୍ରେସ ସଭାପତି।…

