ତେଲଙ୍ଗାନା ଶ୍ରୀସାଇଲମ ଟନେଲ ଧସିବା ଘଟଣାରେ ରେସକ୍ଯୁ ଅପରେସନରେ ବାଧା। ଟନେଲ ମଧ୍ୟରେ ପ୍ରବଳ କାଦୁଅ ଓ ପାଣି ଭରି ରହିଥିବାରୁ ରେସକ୍ଯୁ ଅପରେସନରେ ବାଧା ଦେଖାଦେଇଛି। ତେବେ ଟନେଲ ମଧ୍ୟରେ ଖରାପ ହୋଇଯାଇଥିବା କନଭେୟର ବେଲ୍ଟକୁ ଠିକ କରାଯାଇଥିବା ଜଣାପଡିଛି। ଏହି କନଭେୟର ବେଲ୍ଟ କାମ କରିବା ଆରମ୍ଭ କରିଛି। ଏହାଦ୍ଵାରା ଉଦ୍ଧାରକାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ସହାୟକ ହେବ। ଟନେଲ ମଧ୍ୟରୁ କାଦୁଅ ବାହାର କରିବା କାମ ଆହୁରି ଜୋରସୋରରେ ଚାଲିବ। କନଭେୟର ବେଲ୍ଟ ଗତ ୨୨ ତାରିଖ ଟନେଲ ଧସିବା ଘଟଣା ପରଠୁ ଅକାମୀ ହୋଇ ପଡିଥିଲା। ଏହା ମଧ୍ୟରେ ଦକ୍ଷିଣ ମଧ୍ୟ ରେଲୱେରର ଉଦ୍ଧାରକାରୀ ଟିମ ସୁଡ଼ଙ୍ଗ ମଧ୍ୟରୁ ବୋରିଂ ମେସିନର କ୍ଷତିଗ୍ରସ୍ତ ଅଂଶକୁ କାଟି ବାହାର କରିଛନ୍ତି। ଶ୍ରୀଶୈଲମ ଲେଫ୍ଟ ବ୍ଯାଙ୍କ୍ କେନାଲ ପ୍ରକଳ୍ପର ଧସିଥିବା ସୁଡ଼ଙ୍ଗ ମଧ୍ୟରେ ଉଦ୍ଧାରକାର୍ଯ୍ୟ ଆହୁରି ଜୋରଦାର ହୋଇପାରିବ। ସୁଡ଼ଙ୍ଗ ମଧ୍ୟରେ ଫସିଥିବା ୮ କର୍ମଚାରୀଙ୍କୁ ଖୋଜି ବାହାର କରିବାରେ ଏପର୍ଯ୍ୟନ୍ତ୍ କୌଣସି ସଫଳତା ମିଳିପାରିନାହି। ଗତ ଫେବ୍ରୁଆରୀ ୨୨ରେ ଟନେଲ ମଧ୍ୟରେ ପ୍ରକଳ୍ପର ଇଂଜିନିୟର, ଶ୍ରମିକ ସହିତ ୮ ଜଣ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ, ସେନା, ନୌସେନା ଏବଂ ଅନ୍ୟ ସଂସ୍ଥା ଲାଗିଛନ୍ତି।