ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ନିଜକୁ ଏଭଳି ପ୍ରଦର୍ଶନ କରୁଛନ୍ତି, ସତେ ଯେମିତି ସେ ବିଶ୍ବର ବିଭିନ୍ନ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଭାରି ବ୍ୟାକୁଳ ଅଛନ୍ତି। ଆଉ ସତରେ ଯେମିତି ସେ ଚାହୁଁଛନ୍ତି କି ସାରା ବିଶ୍ବରେ ଶାନ୍ତି ପ୍ରତିଷ୍ଠା ହେଉ। ଦିନକ ତଳେ ଋଷ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ବନ୍ଦ କରିବା ପାଇଁ ସେ ଆଲାସ୍କାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ମଧ୍ୟ ଏକ ବୈଠକ କରିଥିଲେ।
ଏହା ପୂର୍ବରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଙ୍ଘର୍ଷକୁ ସେ ହିଁ ବନ୍ଦ କରିଛନ୍ତି ବୋଲି ବାରମ୍ବାର ଏକପାଖିଆ ଦାବି କରିଆସୁଛନ୍ତି। ଯେତେବେଳେ କି ଭାରତ ଏହାକୁ କଦାପି ସ୍ବୀକାର କରିନାହିଁ। ତେବେ ଡୋନାଲ୍ଡ ଟ୍ରମ୍ପଙ୍କ ଏଭଳି ସବୁ ପ୍ରହସନ ପଛରେ ରହିଛି ଏକ ଭିନ୍ନ ଉଦ୍ଦେଶ୍ୟ। ପ୍ରକୃତରେ ନୋବେଲ ପୁରସ୍କାର ପାଇଁ ଟ୍ରମ୍ପଙ୍କ ପାଗଳାମି ଚରମ ସୀମାରେ ପହଞ୍ଚିଛି। ନୋବେଲ ଶାନ୍ତି ପୁରସ୍କାର ପାଇବା ପାଇଁ ସେ ଏଭଳି ଯୁଦ୍ଧ ବନ୍ଦ କରିବାର ପ୍ରହସନ ଚଳାଇଛନ୍ତି। ଏପରିକି ଏହି ସମ୍ମାନଜନକ ପୁରସ୍କାର ହାତେଇବା ପାଇଁ ଟ୍ରମ୍ପ ଏଭଳି ସ୍ତରକୁ ଖସିଯାଇଛନ୍ତି, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ନହୋଇ ରହିପାରିବେନି।
ନୋବେଲ ପୁରସ୍କାର ପାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏତେ ବ୍ୟାକୁଳ ହୋଇପଡିଛନ୍ତି ଯେ ଏଥି ପାଇଁ ସେ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ସିଧା ସିଧା ଧମକ ଦେବାକୁ ବି ପଛାଇନାହାଁନ୍ତି। ନରୱେର ବିଜନେସ ମାଗାଜିନ୍ ଡେଗେନ୍ସ ନେରିଂସ୍ଲିଭ୍ ଏକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ କୁହାଯାଇଛି କି ଡୋନାଲ୍ଡ ଟ୍ରମ୍ପ ତାଙ୍କ ଦେଶର ଅର୍ଥମନ୍ତ୍ରୀ ଜେନ୍ସ ଷ୍ଟୋଲ୍ଟେନବର୍ଗଙ୍କୁ ଫୋନ୍ କଲରେ ଧମକ ଦେଇଛନ୍ତି।