ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ୭୫ ବର୍ଷରେ ପଦାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୧୯୫୦ ମସିହା ସେପ୍ଟେମ୍ବର ୧୭ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ମୋଦି । ଅଣକଂଗ୍ରେସ ପ୍ରଧାନମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ କାର୍ଯ୍ୟ କରିବାରେ ମୋଦି ହେଉଛନ୍ତି ପ୍ରଥମ। ୨୦୦୧ରୁ ୨୦୧୪ ଯାଏ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଲମ୍ବା ସମୟ ଯାଏ ସେ କାର୍ଯ୍ୟ କରିଛନ୍ତି। ୫ ଦଶନ୍ଧିର ରାଜନୈତିକ ଜୀବନ ମଧ୍ୟରେ ଅନେକ ଉତ୍ଥାନ ପତନ ଦେଖିଛନ୍ତି ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଦିଲ୍ଲୀ ବିଜେପି ପକ୍ଷରୁ ୧୭ଟି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା ଭିତରେ ରହିଛି ସ୍ବଚ୍ଛତା ଅଭିଯାନ, ରକ୍ତଦାନ ଶିବିର, ଖେଳକୂଦ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ସାମାଜିକ
କାର୍ଯ୍ୟକ୍ରମ । ବୃକ୍ଷରୋପଣ , ସ୍ବାସ୍ଥ୍ୟ ଯାଞ୍ଚ ଶିବିର, ପ୍ରଧାନମନ୍ତ୍ରୀଙ୍କ ଜୀବନ ଉପରେ ଡକ୍ୟୁମେଣ୍ଟାରୀ, ଦିବ୍ୟାଙ୍ଗ ଜନ ସମ୍ମାନ, ଭୋକାଲ ଫର ଲୋକାଲ ପ୍ରଚାର, ସାଂସଦ ଖେଳକୁଦ ପ୍ରତିଯୋଗିତା, ବିକଶିତ ଭାରତ ଚିତ୍ରକଳା ପ୍ରତିଯୋଗିତା, ମୋଦି ବିକାଶ ମାରାଥନ, ଜୀବନ ଉପରେ ଆଧାରିତ ପ୍ରଦର୍ଶନୀ, ପଣ୍ଡିତ ଦୀନଦୟାଲ ଜୟନ୍ତୀ, ମହାତ୍ମା ଗାନ୍ଧୀ ଏବଂ ଶାସ୍ତ୍ରୀ ଜୟନ୍ତୀ ସମାରୋହ, ନମୋ ଆପ ଏବଂ ସୋସିଆଲ ମିଡିଆ ଚର୍ଚ୍ଚା, ଜିଏସଟି ରିଫର୍ମ ନେଇ ଜନ ଚର୍ଚ୍ଚା ଆୟୋଜିତ ହେବ । ସମାଜର ପ୍ରତି ବର୍ଗର ଲୋକ ଯେପରି ଏହି କାର୍ଯ୍ୟକ୍ରମଗୁଡିକରେ ସାମିଲ ହୋଇପାରିବେ ସେନେଇ ଉଦ୍ୟମ କରାଯାଇଛି ।
ସେହିପରି ମୋଦିଙ୍କ ଜନ୍ମଦିନ ପାଳନ ଅବସରରେ ଅନୁଷ୍ଠିତ ହେବ ବିଶ୍ବର ସର୍ବବୃହତ ରକ୍ତଦାନ ଶିବିର । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୫ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରାଯିବ । ଖାଲି ଭାରତ ନୁହେଁ ୭୫ରୁ ଅଧିକ ଦେଶରେ ହେବ ରକ୍ତଦାନ ଶିବିର ।
୭୫ତମ ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ । ଏକ୍ସରେ ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ । ମହାପ୍ରଭୁଙ୍କ ପାଖରେ ମୋଦିଙ୍କ ପାଇଁ କଲେ ଦୀର୍ଘାୟୁ କାମନା ।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୭୫ତମ ଜନ୍ମଦିନରେ ସମ୍ବଲପୁରରେ ବୃକ୍ଷରୋପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଗୋଶାଳା ସ୍ଥିତ ସୈନିକ ସ୍କୁଲରେ ଗଛ ଲଗାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଏକ୍ସରେ ପୋଷ୍ଟ କରି ମୋଦିଙ୍କୁ ‘ଜନ୍ମଦିନ’ର ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ସାଢେ ୪ କୋଟି ଓଡ଼ିଶାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ସହ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି ।