ଆଜି ପବିତ୍ର ମହାଳୟା । ୧୫ ଦିନ ଧରି ଚାଲିଥିବା ପିତୃପକ୍ଷର ଆଜି ଶେଷ ଦିନ । ଆଜି ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ପରମ୍ପରା ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଆରମ୍ଭ ହୋଇଥିବା ଏହି ପିତୃପକ୍ଷରେ ପିତୃ ପୁରୁଷମାନେ ମର୍ତ୍ତମଣ୍ଡଳକୁ ଆସିଥାନ୍ତି ବୋଲି ବିଶ୍ୱାସ ରହିଛି । ପିତୃପକ୍ଷର ପ୍ରତ୍ୟେକ ତିଥିରେ ଶ୍ରାଦ୍ଧ ଦିଆଯାଉଥିଲେ ମଧ୍ୟ ମହାଳୟାରେ ଶ୍ରାଦ୍ଧ ଓ ପିଣ୍ଡଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ ଭାବେ ପାଳନ କରାଯାଇଥାଏ । ଯେଉଁ ତିଥିରେ ଯାହାଙ୍କର ପିତା ମାତା ମୃତ୍ୟୁବରଣ କରିଥାନ୍ତି ସେହି ତିଥିରେ ଶ୍ରାଦ୍ଧ କରିବାର ପରମ୍ପରା ରହିଛି ।
ପ୍ରତ୍ୟେକ ଗୃହସ୍ଥ ନିଜର ପିତୃପିତାମହଙ୍କ ଉଦ୍ଦେଶ୍ୟରେ ତର୍ପଣ କରିଥାନ୍ତି । ପିତୃପକ୍ଷରେ ବିଶେଷକରି ପିତା, ପିତାମହ, ପ୍ରପିତାମହ, ମାତା, ପିତାମୟି, ପ୍ରପିତାମୟି, ମାତାମହ, ପ୍ରମାତାମହ, ବୃଦ୍ଧ ପ୍ରମାତାମହ ଆଦିଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରାଯିବାର ବିଧି ରହିଛି । ପିତୃପକ୍ଷରେ ଶ୍ରୀମନ୍ଦିର ବାଇଶିପାହାଚରେ ତିଳତର୍ପଣ କଲେ ପିତୃପୁରୁଷ ତୃପ୍ତି ଲାଭ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ପିତୃପକ୍ଷରେ ଦେବତା ମାନେ ମଧ୍ୟ ପିଣ୍ତଦାନ କରନ୍ତି ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି ।